ଶିକ୍ଷା ବିଭାଗର ବିଚିତ୍ର ନୀତି! ଜାଳେଣି କାଠ ବୋହିଲେ ଛାତ୍ର
ରୂପସା : ଶିକ୍ଷା ବିଭାଗର ବିଚିତ୍ର ନୀତି । ବିଦ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ । ଶିକ୍ଷକ ଭୁଲିଗଲେ ସରକାରଙ୍କ କଟକଣା । ରୋଷେଇ ପାଇଁ ଛାତ୍ରମାନେ ବିଦ୍ୟାଳୟକୁ ବୋହୁଛନ୍ତି ଜାଳେଣି କାଠ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଡିମିଚା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।
ଉକ୍ତ ବିଦ୍ୟାଳୟରେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ଅଛନ୍ତି । ଏଠାରେ ହଷ୍ଟେଲ ଖୋଲାଯାଇ ରାତିରେ ଛାତ୍ରୀଛାତ୍ର ରହି ପାଠ ପଢ଼ିବାର ବ୍ୟବସ୍ଥା ହୋଇଛି । ସରକାରୀ ନିୟମକୁ ଉଲଂଘନ କରି ଦାୟିତ୍ୱରେ ଥିବା ରୋଷେୟା ଏହି ବିଦ୍ୟାଳୟରେ ଦିନ ରାତି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ପରିସର ଅପରିଷ୍କାର ଓ ଅଳିଆ ଆବର୍ଜନମୟ ହୋଇ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ରବିବାର ଛୁଟିଦିନ ସତ୍ତ୍ୱେ ହଷ୍ଟେଲରେ ଥିବା ଛାତ୍ରମାନଙ୍କୁ ଜାଳେଣି କାଠ ବୋହିବାରେ ନିୟୋଜିତ କରାଯାଇଥିବା ଦେଖି ଅବିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତଦନ୍ତ ପୂର୍ବକ ଶିକ୍ଷକ ଓ ରୋଷେୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।
ଏ ସମ୍ପର୍କରେ ଗଡ଼ପଦା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନିଲ କୁମାର ପାତ୍ରଙ୍କୁ ପଚରାଯିବାରୁ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
