ଗଛର ସୁରକ୍ଷା ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକ
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୁନସରରେ କଲେଜରେ ଇକୋକ୍ଳବ ଅମରାବତୀ ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଗଛର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବୃକ୍ଷ ରୋପଣ କରି ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ । ଏଥିସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଗଛ ଲଗାଯାଇଥିଲା । କଲେଜର ଅଧ୍ୟାପକ ନିରାକାର ସାହୁ, ମୋହନ ଚରଣ ବାଗ, ଅମିତାଭ ପଟେଲ, ନାରାୟଣ ବୁଡ଼େକ, ସୁକୁମାର ସାହୁ, ଯୁବ ସାମ୍ବାଦିକ ଅଭିନାଶ ନନ୍ଦ ଓ ଅଜିତ କୁମାର ସାହୁଙ୍କ ସମେତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
