ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରାଯାଉ-ରେଭେନ୍ସା ବିକାଶ ଅଭିଯାନ
କଟକ : ରେଭେନ୍ସା ଓଡିଶାର ଜ୍ଞାନ କେନ୍ଦ୍ର ଓ ମାତୃକଳ୍ପ ଶିକ୍ଷାନୁଷ୍ଠାନ ସ୍ୱୀକୃତି ମିଳିଥିଲେ ମଧ୍ୟ ଧାରାବାହିକ ଭାବେ ଅବହେଳା ଅବିଚାରର ଶିକାର ହୋଇ ଚାଲିଛି । ବିଶେଷକରି ୨୦୦୬ ମସିହାରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୂପାନ୍ତରିତ ପରଠାରୁ ରେଭେନ୍ସା ସ୍ଥିତି ଆହୁରି ଦୟନୀୟ ହୋଇପଡିଛି । ରେଭେନ୍ସା ଯେଉଁ ସ୍ୱତନ୍ତ୍ର ଆଇନ ବଳରେ ବିଶ୍ୱବିଦ୍ୟାଳୟ ହୋଇଥିଲା ରାଜ୍ୟ ସରକାର ତାକୁ ପ୍ରତ୍ୟାହାର କରି ନେଇଛନ୍ତି ଯାହା ତା’ର ଅସ୍ତିତ୍ୱ ପ୍ରତି ପ୍ରଚଣ୍ଡ କୁଠାରଘାତ । ଏବେ ସଂପୂର୍ଣ୍ଣ ଅନଭିଜ୍ଞ, ଦୁର୍ବଳ ବ୍ୟକ୍ତିତ୍ୱ ଓ ସଂକୁଚିତ ମାନସିକତା ଥିବା ବ୍ୟକ୍ତିବିଶେଷ କୁଳପତି ହୋଇଛନ୍ତି । ଯାହା ଫଳରେ ଛାତ୍ର ବିରୋଧୀ କର୍ମଚାରୀ ବିରୋଧୀ ପଦକ୍ଷେପ ନେଇ ସମସ୍ତଙ୍କୁ ଦମନ କରିବା ମନୋବୃତ୍ତି ପୋଷଣ କରୁଛନ୍ତି । ନିକଟରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଆପତ୍ତି ଅଭିଯୋଗ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କଲେ ପ୍ରତିବାଦ ଧାରଣା, ବିକ୍ଷୋଭ ଓ ଅଭିଯୋଗ କଲେ ତାହାକୁ ବିଶୃଙ୍ଖଳା ଭାବେ ଗ୍ରହଣ କରାଯିବ । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଦଣ୍ଡ ଓ ନିଲମ୍ବନ ଭଳି ପଦକ୍ଷେପ ନିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପ୍ରବଳ ଆନ୍ଦୋଳନ ଫଳରେ କର୍ତ୍ତୃପକ୍ଷ ତରବରିଆ ଭାବେ ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିଛନ୍ତି । ଅତୀତରେ ଏହିଭଳି ପଦକ୍ଷେପକୁ ରାଜ୍ୟ ମାନବ ଅଧିକାର କମିଶନ ଭର୍ତ୍ସନା କରିଥିଲେ । କର୍ତ୍ତୃପକ୍ଷ ଏହିଭଳି ଅଗଣତାନ୍ତ୍ରିକ ମନୋଭାବରୁ କ୍ଷାନ୍ତ ରହି ବିଶ୍ୱବିଦ୍ୟାଳୟର ମୈାଳିକ ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଦେବା ଦରକାର ବୋଲି ଗାନ୍ଧି ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ରେଭେନ୍ସାରେ ତୁରନ୍ତ ଛାତ୍ର ସଂସଦ ନିବ୭ାଚନ କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ଦେବା, ବିଶ୍ୱବିଦ୍ୟାଳୟ ଅଧ୍ୟାପକ ପଦବୀ ପୂରଣ କରିବା, ଭିତ୍ତିଭୂମି ଗବେଷଣା କ୍ଷେତ୍ର ବିକାଶ କରିବା ଆଦି ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଚିତ୍ତରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ସଂଗ୍ରାମୀ ଫୋରମ ଆବାହକକ ପ୍ରଶାନ୍ତ ଦାସ, ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ ଦାସ, ଆଇନଜୀବୀ ସୁକାନ୍ତ ନାୟକ, ବିଜୟ ରାଉତରାୟ, ଗୀତା ଦାସ, ଇସରଫ ଜହାଁ, ଏନାମୁଲ ହକ୍ ପ୍ରମୁଖ ଉପସ୍ଥିତ ଥିଲେ ।
