ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ, ୬ ମୃତ
ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଝଟକା ଅନୁଭୂତ
କାଠମାଣ୍ଡୁ : ଭୟଙ୍କର ଭୂକମ୍ପରେ ଥରିଲା ନେପାଳ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ନେପାଳ, ମଣିପୁରରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଗୋଟିଏ ଦିନରେ ୩ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି । ଖବର ମୁତାବକ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଣ ଶିଶୁ ରହିଥିବା ନେଇ ସୂଚନା ମିଳିଛି ।
ସୂଚନା ଯେ, ନେପାଳର ପଶ୍ଚିମାଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନ୍ସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି । ଏନ୍ସିଏସ୍ର ରିପୋର୍ଟ ଅନୁସାରେ, ରାତି ୯.୦୭ ମିନିଟ ସମୟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୭ ରୋକର୍ଡ କରାଯାଇଥିଲା । ୯.୫୬ ମିନିଟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୧ ରୋକର୍ଡ କରାଯାଇଥିଲା । ତେବେ ତୃତୀୟ ଥର ପାଇଁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି ।
ସେହିପରି ଏହାର ଅକ୍ଷାଂଶ ୨୯.୨୪ ଏବଂ ଦ୍ରାଘିମା ୮୧.୦୬ ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଘର ଭୁଶୁଡି ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ନୂଆ ଦିଲ୍ଲୀ ସହ ଆଖପାଖ ଅଞ୍ଚଳରେ ପଡିଥିଲା । ପ୍ରାୟ ୨୦ ସେକେଣ୍ଡ ପାଇଁ ଦିଲ୍ଲୀ ଏନସିଆରରେ ଭୂକମ୍ପରେ ତୀବ୍ର ଝଟକା ଅନୁଭୂତ ହୋଇଥିଲା।
