ମୁରାବାଡ଼ିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଗୁଲାବ୍’
ଭୁବନେଶ୍ୱର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସନ୍ଧ୍ୟା ୬ଟା ଆରମ୍ଭ ହୋଇଯାଇଛି । ଏହା ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ୍ର ମୁରାବାଡ଼ି ଠାରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ପ୍ରକ୍ରିୟା ସରିବାକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିବ । କଳିଙ୍ଗପଟ୍ଟନମ୍ଠାରୁ ୨୫ କିମି ଦୂରରେ ଏହା ଉପକୂଳ ଅତିକ୍ରମ କରିବ । ଗୋପାଳପୁରଠାରୁ କିଛି ସମୟ ପୂର୍ବରୁ ୯୫ କିମି ଦୂରରେ ଗୁଲାବ ରହିଥିବା ବେଳେ ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୮୫ କିମି ଦୂରରେ ରହିଥିଲା ବୋଲି ଜଣାପଡ଼ିଥିଲା । ବିଗତ ୩ ଘଣ୍ଟାରେ ଏହାର ବେଗ ୨୫ କିମି ରହିଛି । ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପାଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିବ ବୋଲି ଜଣାପଡ଼ିଛି ।
ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟ୍ଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି । ତେବେ ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ। ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ ।ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି । ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭ , ପୁରୀ ପାଇଁ ବିପଦ ସଙ୍କେତ ୬ ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି ।
