ପ୍ରଥମେ ଜାମ୍ମୁ କାଶ୍ମୀରକୁ ରାଜ୍ୟର ମାନ୍ୟତା ଓ ପରେ ନିର୍ବାଚନ : ଓମାର ଅବଦୁଲ୍ଲା
ଶ୍ରୀନଗର : ଜାମ୍ମୁ କାଶ୍ମୀର ସମ୍ପର୍କରେ ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବଦଳୀୟ ବୈଠକ ପରେ ଆଜି ନ୍ୟାସନାଲ କନ୍ଫରେନ୍ସ ଉପାଧ୍ୟକ୍ଷ ଓମର ଅବଦୁଲ୍ଲା କହିଛନ୍ତି ଯେ ପ୍ରଥମେ ଜାମ୍ମୁ କାଶ୍ମୀରକୁ ରାଜ୍ୟର ମାନ୍ୟତା ମିଳୁ ତାପରେ ନିର୍ବାଚନ ହେବା ଉଚିତ୍। ସେ କହିଛନ୍ତି ଆମକୁ ପ୍ରଥମେ ସୀମା, ପରେ ନିର୍ବାଚନ ଏବଂ ପରେ ରାଜ୍ୟତା ମାନ୍ୟତା ମଂଜୁର ନୁହେଁ। ଆମେ ପ୍ରଥମେ ସୀମା, ତାପରେ ରାଜ୍ୟର ମାନ୍ୟତା ଏବଂ ପରେ ନିର୍ବାଚନ ଚାହୁଁଛୁ।
ଓମାର ଅବଦୁଲ୍ଲା କହିଛନ୍ତି, ଗୁଲାମ ନବୀ ଆଜାଦ ଆମ ସମସ୍ତଙ୍କ ତରଫରୁ ବୈଠକରେ କଥା ହୋଇଥିଲେ ଏବଂ କହିଥିଲେ ଯେ ଆମେ ଏହି ଟାଇମଲାଇନରେ ବିଶ୍ୱାସ କରୁନାହୁଁ। ପ୍ରଥମେ ସୀମା, ନିର୍ବାଚନ ଓ ପରେ ରାଜ୍ୟ ମାନ୍ୟତା ଆମକୁ ମଂଜୁର ନୁହେଁ। ପ୍ରଥମେ ସୀମା, ତାପରେ ରାଜ୍ୟର ମାନ୍ୟତା ଓ ଶେଷରେ ନିର୍ବାଚନ। ଯଦି ନିର୍ବାଚନ କରିବାକୁ ଚାହୁଁଛନ୍ତି ତାହେଲେ ରାଜ୍ୟର ମାନ୍ୟତା ଫେରସ୍ତ କରନ୍ତୁ। ଏହା ପରେ ଆମେ ନିର୍ବାଚନ ବିଷୟରେ ଆଲୋଚନା କରିବୁ। ସେହିପରି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କେହି କହିନାହାନ୍ତି ଯେ ଆମେ ଅଗଷ୍ଟ ୫ କୁ ଗ୍ରହଣ କରୁଛୁ। ଆମେ ଏହା ଉପରେ କ୍ରୋଧିତ ବୋଲି କହିଥିଲୁ। ମେହବୁବା ମୁଫତି ଏବଂ ଫାରୁକ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ବିଜେପିକୁ ଧାରା ୩୭୦ ହଟାଇବା ଏଜେଣ୍ଡା ସଫଳ କରିବାକୁ ୭୦ ବର୍ଷ ଲାଗିଛି। ଯଦି ଆମକୁ ୭୦ ମାସ ବି ଲାଗେ ତାହେଲେ ବି ଆମେ ଆମର ମିଶନରୁ ପଛଘୁଞ୍ଚା ଦେବୁ ନାହିଁ। ଆମକୁ ସେଠାରେ ମିଳିତ ମଞ୍ଚ ଭାବରେ ଡକାଯାଇ ନଥିଲା। ଯଦି ମିଳିତ ମଞ୍ଚ ଭାବରେ ଡକାଯାଇଥାନ୍ତା, ତେବେ ମଞ୍ଚ ତରଫରୁ କେବଳ ଜଣକୁ ଡକାଯାଇଥାନ୍ତା। ସେଠାରେ ସବୁ ଦଳକୁ ଆମନ୍ତ୍ରିତ କରାଯାଇଥିଲା। ଏହି ବୈଠକରେ ଗୁପ୍ତକର ମିଳିତ ମଞ୍ଚର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଆମେ ଏମିତି କୌଣସି ବିଷୟରେ ଆଲୋଚନା କରିନାହୁଁ ଯାହା ମିଳିତ ମଞ୍ଚର ଏଜେଣ୍ଡା ବାହାରେ ଥିଲା। ଅପରପକ୍ଷରେ ମୋଦିଙ୍କ ସହ ବୈଠକକୁ ନେଇ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ଭଲ ଥିଲା। ସମସ୍ତ ଦଳ ପିଏମଙ୍କ ପାଖରେ ନିଜ ନିଜର ମତାମତ ରଖିଥିଲେ। ଜାମ୍ମୁ କାଶ୍ମୀରର ସ୍ଥିତିକୁ ଯେକୌଣସି ଉପାୟରେ ସୁଧାରିବା ଏବଂ ଏକ ରାଜନୈତିକ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ଏହା ତାଙ୍କ ତରଫରୁ ପ୍ରଥମ ପଦକ୍ଷେପ ଥିଲା।
