ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟର ୧୦ଟି ଫାଇଲେରିଆପ୍ରବଣ ଜିଲାରେ ଲିଟିକ ଫାଇଲେରିଆସିସ୍ ( ଏଲଏଫ ) ଦୂରୀକରଣ ନିମନ୍ତେ ଏକ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ( ଏମଡିଏ ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସହିତ ମିଶି ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ଭୁବନେଶ୍ଵର ଠାରେ ଆୟୋଜିତ ହୋଇଛି । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ବ୍ୟକ୍ତିବିଶେଷ ଏବଂ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ, ସେଥି ପାଇଁ ଲିମ୍ଫାଟିକ ଫାଇଲେରିଆସିସ ଦ୍ଵାରା ସୃଷ୍ଟି ହେଉଥିବା ଶାରୀରିକ ଅକ୍ଷମତା ସମ୍ପର୍କରେ ଆଲୋକପାତ କରୁଥିବା ପୂର୍ଣ୍ଣାଙ୍ଗ ସୂଚନା ପ୍ରସାରକୁ ସୁଗମ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳା ଅବସରରେ ଡା.ଅଜିତ କୁମାର ମହାନ୍ତି , ସ୍ଵତନ୍ତ୍ର ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ , ଏମଡିଏ ପର୍ଯ୍ୟାୟରେ ଦଶଟି ଜିଲ୍ଲାରେ ଲୋକମାନେ ଯେଭଳି ସ୍ଵାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ବର୍ଷରୁ କମ୍ ବୟସର ଶିଶୁ , ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବେ ।
ସେ ଆହୁରି ମଧ୍ୟ କହିଥିଲେ ଯେ , ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀଗୁଡିକର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଡା . ନିରଞ୍ଜନ ମିଶ୍ର , ନିର୍ଦ୍ଦେଶକ ଜନସ୍ୱାସ୍ଥ୍ୟ , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ ଯେ ଫାଇଲେରିଆ ଏକ ସାଂଘାତିକ ଜନସ୍ଵାସ୍ଥ୍ୟ ସମସ୍ୟା , ଯାହା ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ , ଯାହା ଆରୋଗ୍ୟସାଧ୍ୟ ନୁହେଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ ( ଅଣ୍ଡକୋଷ ଫୁଲିବା ) , ଲିମ୍ଫୋଡେମା ( ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା ) ଏବଂ କାଇଲୁରିଆ ( ଇଷତ ଦୁଗ୍ଧ ଧଳା ରଙ୍ଗର ପରିସ୍ରା ) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍ଫ୍ରେ ଆକ୍ରାନ୍ତ ଲୋକଙ୍କର ଜୀବିକା , ସେମାନଙ୍କ ପାଖରେଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଲଛନାର ଶିକାର ହୋଇଥାନ୍ତି । ଫାଇଲେରିଆସିସ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ ( ଡିଇସି ଏବଂ ଆଲବେଣ୍ଡାଜୋଲ ) ସେବନ ଦ୍ଵାରା ରୋକାଯାଇପାରିବ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଡା . ମିଶ୍ର କହିଲେ ଯେ , ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ଓ ଏହାର ସେପରି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ , ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଜିଲ୍ଲା ତଥା ବ୍ଲକ ସ୍ତରରେ ଏହିଭଳି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ , ‘ ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍ ଏବଂ ଡିଇସିକୁ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣ ଭାବରେ ବ୍ୟବହୃତ ଔଷଧଗୁଡିକ ମଧ୍ୟରୁ ଏହି ୨ଟି ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅତି ନଗଣ୍ୟ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯୁଗ୍ମ ନିର୍ଦ୍ଦେଶକ ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଡା . ଶୁଭାଶିଷ ମହାନ୍ତି କହିଥିଲେ ଯେ ୨୦୨୭ ସୁଦ୍ଧା ଫାଇଲେରିଆସିସ୍ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ଵପୂର୍ଣ୍ଣ ଜନସ୍ଵାସ୍ଥ୍ୟ ପ୍ରୟାସ ସମୂହର କାର୍ଯ୍ୟକାରିତା ଜାରି ରଖିବାର ଗୁରୁତ୍ଵକୁ ଉପଲବ୍ଧି କରି ଓଡ଼ିଶା ସରକାର ବାଲେଶ୍ଵର , ଭଦ୍ରକ , ବଲାଙ୍ଗିର , କଟକ , କଳାହାଣ୍ଡି , କନ୍ଧମାଳ , ଖୋର୍ଦ୍ଧା , ନୟାଗଡ , ନୂଆପଡା ଏବଂ ରାୟଗଡା ଆଦି ୧୦ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଏମଡିଏ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରୁଛନ୍ତି । ଏହି ଅବସରରେ ସିନିଅର ରିଜିଓନାଲ ଡାଇରେକ୍ଟର ଡା . ସୁଚିତ୍ରା ସାସ୍ମଲ , ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା . ଅମରେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।
ସୂଚନା ଯେ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ୧ , ୩୬ , ୦୬ , ୯୪୮ ଜଣ ହିତାଧୁକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୫୧ , ୩୭୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୫୧୧୧ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଉଛି ଯଦ୍ବାରା କାର୍ଯ୍ୟକ୍ରମର ମାନ ବଜାୟ ରଖାଯାଇପାରିବ । ଶେଷରେ ଅନୁଜ ଘୋଷ , ସିନିୟର ଡାଇରେକ୍ଟର , ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ଲିମ୍ଫାଟିକ ଫାଇଲେରିଆସିସ୍ ଭଳି ସାଂଘାତିକ ରୋଗକୁ ଦୂର କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ( ଡବ୍ଲ୍ୟୁଏଚଓ ) ଏବଂ ପିସିଆଇର ରାଜ୍ୟ ପ୍ରତିନିଧି ମଧ୍ୟ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ ।
