ରାଜ୍ୟସ୍ତରୀୟ ସ୍ୱାଧୀନତା ସମାରୋହ ; ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ‘୭୫ ବର୍ଷ ଗୋଟିଏ ଜାତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ’। ଅଲିମ୍ପିକ୍ସରେ ସଫଳତା ପାଇଁ ଓଡ଼ିଶା ଓ ଭାରତୀୟ ଖେଳାଳିଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଆମର ଖେଳାଳି ମାନଙ୍କ ପାଇଁ ଓଡ଼ିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ସେହିପରି କୋଭିଡ ମୁକାବିଲାରେ ଆମେ ଅନ୍ୟମାନଙ୍କୁ ବାଟ ଦେଖାଇଛୁ ଏବଂ ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇ ଜୀବନ ବଞ୍ଚାଇଛୁ ବୋଲି ସେ କହିଛନ୍ତି। ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫଳରେ ଅଧିକରୁ ଅଧିକ ଲୋକ ଉପକୃତ ହେବେ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ସହ ପ୍ରତିଟି ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସର୍ବଦା ପ୍ରାଥମିକତା ରହିଛି। କ୍ରୀଡ଼ା, ସ୍ୱାସ୍ଥ୍ୟ, କୃଷି, ନାରୀ ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ନୂଆ ଓଡ଼ିଶାର ବିକାଶର ଛବି ବଖାଣୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରେଡରେ ୩ଟି ଦଳ ଭାଗ ନେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯାଉଛି। ଏଥିରେ ୩.୫ କୋଟି ଲୋକ ଉପକୃତ ହେବେ। ଏଥିଲାଗି ଆଜି ଠାରୁ ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ। ଏହା ଦେଶରେ ପ୍ରଥମ। ଏହାଫଳରେ ରାଜ୍ୟରେ କେହି ଅର୍ଥାଭାବ ପାଇଁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ। ମୁଁ ସବୁବେଳେ କହିଆସିଛି, ସାରା ଓଡ଼ିଶା ମୋ ପରିବାର। ଏଥିରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାମାନଙ୍କ ଲାଗି ୧୦ ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସୁବିଧା ମିଳିବ। କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କୁ ବାଟ ଦେଖାଇଛି। ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଇବାରେ ଓଡ଼ିଶା ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ହୃତ୍ ହକିର ଗୌରବକୁ ଫେରାଇ ଆଣିବା ଲାଗି ଆମେ ୨୦୧୮ରେ ଯେଉଁ ପ୍ରୟାସ ଆରମ୍ଭ କରିଥିଲୁ, ତାହାର ସୁଫଳ ମିଳିଛି। ଏଥିଲାଗି ଅଲମ୍ପିକ୍ସରେ ହକି ପାଇଁ ଭାରତୀୟ ଦଳ ପଦକ ପାଇଛି। ଦେଶର ଗୌରବ ବଢିଛି। ୫-ଟି ଜରିଆରେ ରାଜ୍ୟର ୧୦୭୨ଟି ବିଦ୍ୟାଳୟର ରୂପାନ୍ତର କରାଯାଉଛି ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ପ୍ରଥମେ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ। ସେ ରାଜ୍ୟବାସୀଙ୍କୁ ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


