ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ମଣିଷ-ହାତୀ ସଂଘର୍ଷକୁ ପ୍ରଶମିତ କରିବା ବର୍ତମାନ ସମୟର ବଡ଼ ଆହ୍ୱାନ : ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର : କିଛି ମାସ ହେବ ହାତୀ-ମଣିଷ ସଂଘର୍ଷ ଏକ ଉଦ୍ବେଗଜନକ ସମସ୍ୟା ରୂପେ ଉଭା ହୋଇଛି । ଶକ୍ତି ବିଭାଗ ସହ ଉତମ ଯୋଗସୂତ୍ର ରକ୍ଷା କରି କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ । ଏହା ସହିତ ହାତୀ ଚଳପ୍ରଚଳ କରୁଥିବା ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣରେ ଚାରଣଯୋଗ୍ୟ ବୃକ୍ଷ ରୋପଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ଜଙ୍ଗଲ ନିକଟସ୍ଥ ଲୋକଙ୍କୁ ଅଧିକ ସଚେତନ କରିବାକୁ ପଡ଼ିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦିପ ଅମାତ ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରାକୃତିକ ସନ୍ତୁଳନ ଓ ଜୀବନଧାରଣ ପାଇଁ ଜଙ୍ଗଲ, ପରିବେଶ ଓ ଜୈବ ବିବିଧତାର ଆବଶ୍ୟକତା ରହିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଯେଉଁ କର୍ମଚାରୀମାନେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସରକାରୀ ସୁବିଧା ଉପଲବ୍ଧ କରାନ୍ତୁ ଏବଂ ଯେଉଁମାନେ ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ସେହି କ୍ରମରେ ରେଲେୱ, ରାସ୍ତା, ଜଳସେଚନ ଓ ଅନ୍ୟାନ୍ୟ ଲୋକାଭିମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ ଜଙ୍ଗଲ କିସମ ପରିବର୍ତନ ପ୍ରସ୍ତାବକୁ ଶୀଘ୍ର ଅନୁମୋଦିତ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସରକାର ୫‘ଟି’ ଆଭିମୁଖ୍ୟ ଏବଂ ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ଅଧିକ କ୍ରିୟାଶୀଳ ହେଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସୁନାମ ଦ୍ୱିଗୁଣିତ ହେବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ଆଶା ବ୍ୟକ୍ତ କରିଛନ୍ତି ।ନୂତନ ବନୀକରଣ ସହିତ ଜଙ୍ଗଲ ଓ ଜୀବଜନ୍ତୁମାନଙ୍କର ସୁରକ୍ଷା ପାଇଁ ଆମକୁ ଧରପଗଡ଼ କୁ ଅଧିକ କଡ଼ାକଡ଼ି କରିବାକୁ ପଡ଼ିବ । ଆମ ଫୋର୍ସକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ପଡ଼ିବ । ନବାଗତ ବନଖଣ୍ଡ ଅଧିକାରୀମାନଙ୍କୁ ଗବେଷଣା ଓ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ଉପରେ ଅଧିକ ପ୍ରାଧାନ୍ୟ ଦେବା ଉଚିତ୍ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟଜନ୍ତୁ) ସୁୁଶିଲ କୁମାର ପୋପଲି ଉଲ୍ଲେଖ କରିଛନ୍ତି । ରାଜ୍ୟର ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଭିନ୍ନ ବନୀକରଣ ଯୋଜନା ପ୍ରସ୍ତୁତ କରାଯାଉଛି । ବନୀକରଣ ପାଇଁ ୨୬ଟି ଡିଭିଜନର ୮୬ଟି ରେଞ୍ଜରେ ସ୍ୱତନ୍ତ୍ର ତିନିବର୍ଷିଆ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ତଦ୍ ଅନୁଯାୟୀ ପଦକ୍ଷେପ ନିଆଗଲେ ଅଧିକ ସୁଫଳ ମିଳିପାରନ୍ତା ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଦେବୀଦତ ବିଶ୍ୱାଳ ପ୍ରକାଶ କରିଛନ୍ତି । ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ୨୦୨୧ ଆକଳନରୁ ଜଣାପଡ଼ିଛି ଯେ ବର୍ତମାନ ରାଜ୍ୟର ଭୌଗୋଳିକ ଆୟତନର ୩୬.୭୧ ପ୍ରତିଶତ ହେଉଛି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଂଚଳ । ୨୦୧୯ରୁ ୨୦୨୧ ମଧ୍ୟରେ ୫୩୭ ବର୍ଗ କିଲୋମିଟର ଜଙ୍ଗଲ, ୩୫୬ ବର୍ଗ କିଲୋମିଟର ବୃଦ୍ଧ ଆଚ୍ଛାଦିତ ଅଂଚଳ ଏବଂ ୮.୩୪ ବର୍ଗ କିଲୋମିଟର ଲୁଣା ଜଙ୍ଗଲର ବୃକ୍ଷ ରହିଛି । ସୂଚନାଯୋଗ୍ୟ ଯେ ଆଗାମୀ ୨୦୨୩-୨୪ ଆର୍ôଥକ ବର୍ଷରେ ବୃକ୍ଷରୋପଣ ଓ ବକ୍ଷଚାରା ବିତରଣ ପାଇଁ ପ୍ରାୟ ୮.୦୫ କୋଟି ବହୁମୁଖୀ ଉପକାରୀ କିସମର ବୃକ୍ଷଚାରା ଉତ୍ପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାମ୍ପାର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଦୀପ ରାଜ କରାଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତଙ୍କ ସମେତ ରାଜ୍ୟର ସମସ୍ତ ବନାଂଚଳର ବନଖଣ୍ଡ ଅଧିକାରୀ ଯୋଗଦେଇଥିଲେ ।
