କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଖବର ରାଜ୍ୟ ସରକାରଙ୍କ ପାଖରେ ନାହିଁ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : କୋଟିଆରେ ଆନ୍ଧ୍ରପ୍ରଦେଶର ବେଆଇନ୍ ଅନୁପ୍ରବେଶ ଏବଂ ରାସନ ବଂଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ କିଛି ଏଭଳି ଉତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆରେ ଆନ୍ଧ୍ରପ୍ରଦେଶର ବେଆଇନ୍ ଅନୁପ୍ରବେଶ ନେଇ ଖବର ପ୍ରକାଶ ପାଇଥିବା ବେଳେ ବିଧାୟିକା କୁସୁମ ଟେଟେ ୨୦୨୧ରେ ଆନ୍ଧ୍ର ଅଧିକାରୀ କେତେ ଥର ଅନୁପ୍ରବେଶ କରିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ଏହାର ଉତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆନ୍ଧ୍ର ଦ୍ୱାରା ୨୦୨୧ରୁ ଭତା କିମ୍ବା ରାସନ୍ ବଂଟନ କି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ଆନ୍ଧ୍ର ତରଫରୁ ଏଠାରେ ରାସ୍ତା ନିର୍ମାଣ ହୋଇନାହିଁ । ସେହିଭଳି କୌଣସି କାର୍ଯ୍ୟକଳାପ ଦୃଷ୍ଟିଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
