ପଞ୍ଚାୟତସ୍ତରରେ ସଂରକ୍ଷଣ ଲାଗୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ଵର : ପଞ୍ଚାୟତସ୍ତରରେ ସଂରକ୍ଷଣ ଲାଗୁ ନେଇ ରାଜ୍ୟ ସରକାର ଜାରି କରିଛିନ୍ତି ଗାଇଡ ଲାଇନ। ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମୟରେ ବିଜେପି କୋର୍ଟର ଧମକ ଦେଇଛି। ବିଜେପି କହିଛି ବିଜେଡିର ପ୍ରାର୍ଥୀ କେମିତି ଜିତିବେ ତାଙ୍କୁ ସୁହାଇଲା ଭଳି ନିର୍ବାଚନ ପ୍ରକ୍ରିୟା କରୁଛି। ଯାହା ଗାଇଡ ଲାଇନ ତିଆରି ହେବ ନିର୍ବାଚନ ଅଧିକାରୀ ଦ୍ବାରା ତାଙ୍କୁ ମାନିବୁ । ଯେଉଁଠି ତ୍ରୁଟି ହେବ ଆପତ୍ତି ଉଠାଇବୁ,ଏପରିକି କୋର୍ଟକୁ ଯିବାର ଧମକ ବି ଦେଇଛି ବିଜେପି । ଏପଟେ କଂଗ୍ରେସ ବି ସେହି ସମାନ ଅଭିଯୋଗ କରିଛି। ବିଜେଡିକୁ ସୁହାଇଲା ଭଳି ଗାଇଡ ଲାଇନ କରାଯାଇଛି ବୋଲି କହିଛି ।
କେଉଁଠି ଏସସି, କେଉଁଠି ଏସଟି, କେଉଁଠି ଓବିସି ଓ କେଉଁଠି ମହିଳାଙ୍କ ପାଇଁ ରହିବ ସଂରକ୍ଷଣ । ରାଜ୍ୟ ସରକାର ଆରମ୍ଭ କଲେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ଗାଇଡଲାଇନ ଜାରି ହୋଇଛି। ଏହି ଗାଇଡଲାଇନ ଅନୁସାରେ ପଞ୍ଚାୟତଗୁଡ଼ିକରେ ସଂରକ୍ଷଣ ଲାଗୁ କରିବାକୁ ପଞ୍ଚାୟତରାଜ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ପ୍ରଥମେ ଏସସି, ଦ୍ବିତୀୟରେ ଏସଟି, ତୃତୀୟରେ ଓବିସି ଏବଂ ଶେଷରେ ମହିଳା ମାନଙ୍କ ପାଇଁ ଆସନ ସଂରକ୍ଷଣ ରହିବ। ଯେଉଁ କ୍ୟାଟେଗୋରୀରେ ଯେତିକି ସଂରକ୍ଷଣ ରହିବ ସେଥିରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରଖିବା ବାଧ୍ୟତାମୂଳକ। ଯେଉଁଠି ଏସସି ଓ ଏସଟି ସଂଖ୍ୟା କମ ଥିବ ସେଠି ଓବିସି ମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ। ଗାଁର ଜନସଂଖ୍ୟାକୁ ଆଧାର କରି ଓ୍ବାର୍ଡ ମେମ୍ବର ପଦବୀ ନେଇ ସଂରକ୍ଷଣ ନିଷ୍ପତ୍ତି ନିଆଯିବ। ବ୍ଲକର ଜନସଂଖ୍ୟାକୁ ଆଧାର କରି ସରପଞ୍ଚ ଓ ସିମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଜିଲ୍ଲାର ଜନସଂଖ୍ୟାକୁ ଆଧାର କରି ପଞ୍ଚାୟତ ସିମିତି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଲାଗୁ ହେବ। ଜିଲ୍ଲା ପରିଷଦ ପଦବୀ କ୍ଷେତ୍ରରେ ଜିଲ୍ଲାପରିଷଦ ଜୋନର ଜନସଂଖ୍ୟାକୁ ଆଧାର କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। କିନ୍ତୁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ।
