ବାଲେଶ୍ୱରକୁ ଶ୍ରେଷ୍ଠ ଜିଲା ବିଭାଗରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ପଦ୍ମାବତୀ ପାର୍କ ଠାରେ ଜିଲା ଶିକ୍ଷା ବିଭାଗ ତରଫରୁ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସକୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ ବୋଲି ଛାତ୍ରୀଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଉପ-ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଓ ଏଫ୍ଏମ୍ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ସମସ୍ତ ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରୀଛାତ୍ର, ବିଦ୍ୟାଳୟ ଶିକ୍ଷା କମିଟି ତଥା ସରପଞ୍ଚ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରୀଛାତ୍ରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଜିଲା ଶିକ୍ଷା ଅଧିକାରୀ ମଞ୍ଜରୀ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୮୨ ଜଣଙ୍କୁ ଜିଲାସ୍ତରୀୟ ଛାତ୍ର ପୁରସ୍କାର, ୧୨୭୪ ଜଣଙ୍କୁ ବ୍ଲକସ୍ତରୀୟ ଛାତ୍ର ପୁରସ୍କାର, ୯୪୫ ଜଣଙ୍କୁ ଲିଡରସିପ ପୁରସ୍କାର, ୩୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ୨୯ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ୫ ଗ୍ରାମ ପଞ୍ଚାୟତ ପୁରସ୍କାର, ୧୦ ପୁରାତନ ଛାତ୍ରୀଛାତ୍ର ପୁରସ୍କାର, ୧୨ ଏସ୍ଏମ୍ସି କମିଟି, ୮ ଉଚ୍ଚ ମାଧ୍ୟମିକସ୍ତରୀୟ ପ୍ରଧାନ ଶିକ୍ଷକ ପୁରସ୍କାର ତଥା ୧୨ ପ୍ରାଥମିକ ବିଦ୍ୟାଳୟସ୍ତରୀୟ ଶିକ୍ଷକ ପୁରସ୍କାର ସମେତ ମୋଟ ୨୫୧୯ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିବା ସହ ଛାତ୍ରୀଛାତ୍ରମାନଙ୍କର ସଫଳତା କାମନା କରିଥିଲେ । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି, ପବିତ୍ର ମୋହନ ବାରିକ ଓ ଧରଣୀଧର ପାତ୍ରଙ୍କ ସମେତ ସମସ୍ତ ବିଇଓ, ଏବିଇଓ, ସିଆର୍ସିସି, ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ସଙ୍ଗୀତ ପରିବେଷଣ କରିଥିବା ବେଳେ ସେମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା ।
ସୂଚନା ଯୋଗ୍ୟ କି, ରାଜ୍ୟର ୩୦ଟି ଜିଲା ମଧ୍ୟରୁ ଶିକ୍ଷାକ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ବାଲେଶ୍ୱର ଜିଲାକୁ ଶ୍ରେଷ୍ଠ ଜିଲା ବିଭାଗରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।
