ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ
ଭୁୁବନେଶ୍ୱର : ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ରାଜ ଭବନର ଅଭିଷେକ ହଲ ଠାରେ ଅନୁଷ୍ଠିତ ଶପଥରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ତ୍ରିପାଠୀଙ୍କୁ ଓଡିଆରେ ଶପଥପାଠ କରାଇଥିଲେ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନ୍ସିଂ ମାଧ୍ୟମରେ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟପାଳଙ୍କ ଅନୁମତି କ୍ରମେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ପତ୍ର ( ୱାରଣ୍ଟ ଅଫ୍ ଆପଏଣ୍ଟମେଣ୍ଟ ପାଠ କରିଥିଲେ । ଶପଥ ପାଠ ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର,କଟକ-ଭୁବନେଶ୍ୱର ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ତ୍ରିପାଠୀଙ୍କ ସହଧର୍ମିଣୀଙ୍କ ସମେତ ପରିବାରର ସଦସ୍ୟ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ ।
