ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ! ୬ ସପ୍ତାହ ମଧ୍ୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି ।
ଆବେଦନକାରୀ ଦର୍ଶାଇଥିଲେ ଯେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପରିଷଦର କାର୍ଯ୍ୟକାଳ ଗତ ୨୦୧୮ରୁ ଶେଷ ହେଲାଣି । ଏହାରି ଭିତରେ ତିନି ବର୍ଷରୁ ଅଧିକ ବିତିଯାଇଥିଲେ ହେଁ ନିର୍ବାଚନ କରାଯାଉନାହିଁ । ଏହାଦ୍ୱାରା ଆଇନଜୀବୀ ମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରୁ ନଥିବା ଆବେଦନରେ ଦର୍ଶାଯାଇଛି । ଭାରତୀୟ ଆଇନଜୀବୀ ପରିଷଦଙ୍କ ନିର୍ଦ୍ଦେଶ ମୁତାବକ ଆଇନଜୀବୀଙ୍କ ଯାଂଚ ପ୍ରକ୍ରିୟା ଜାରି ରହିଥିବାରୁ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ପରିଷଦ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ତେବେ ପରିଷଦର ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ । ହାଇକୋର୍ଟ ପୁରୁଣା ଭୋଟର ତାଲିକା ଆଧାରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
