ଶ୍ରୀମନ୍ଦିରରେ ଉଭାଯାତ୍ରା ଅନୁଷ୍ଠିତ
- ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ପୁରୀ: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଉଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ୩ ଠାକୁରଙ୍କ ଶୃଙ୍ଗାର କରାଯାଇଥିଲା । ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତୀ ହୋଇଥିଲା । ରଥଯାତ୍ରା ପାଇଁ ଶନିବାର ଠାରୁ ବଡ଼ଦାଣ୍ଡକୁ ପୁଲିସ ଛାଉଣୀରେ ପରିଣତ କରାଯାଇଥିବା ବେଳେ ସନ୍ଧ୍ୟାରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ବଡ଼ଦାଣ୍ଡ ଭଳି ପୁରୀ ସହରକୁ ମଧ୍ୟ ପୋଲିସ କର୍ଡନ ମଧ୍ୟରେ ରଖାଯାଇଛି । ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ବେଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ପାଇଁ ପୁରୀରେ ଏଥର ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଏଥିସହ ୪୦୦ ପୁଲିସ ଅଧିକାରୀ ଉପସ୍ଥିତ ରହିବେ । ସହରକୁ ସଂଯୋଗ ୮ଟି ସ୍ଥାନରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଯାଂଚ କରାଯାଉଛି । ସହରର ମୁଖ୍ୟ ୩ଟି ପ୍ରବେଶ ପଥ ମଙ୍ଗଳାଘାଟଛକ, ବାଟଗାଁ ଛକ ଓ ଭୂଦାନ ଛକକୁ ସିଲ୍ କରାଯାଇଛି । ବାହାରୁ କେଣସି ଗାଡ଼ି କିମ୍ବା ଜନସାଧାରଣଙ୍କୁ ପୁରୀ ଭିତରକୁ ପ୍ରବେଶ ଅନୁମତି ମିଳୁନି ।
ଅନ୍ୟପକ୍ଷରେ ଶନିବାର ସବୁ ହୋଟେଲ୍କୁ ଖାଲି କରାଯାଇଛି । ବଡ଼ଦାଣ୍ଡ ପୁଲିସ ଛାଉଣୀରେ ପରିଣତ ହୋଇଛି । ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ପୁରୀ ସହରରେ ରବିବାର ସଂନ୍ଧ୍ୟା ଠାରୁ ମଙ୍ଗଳ ବାର ସଂନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ରାଜ୍ୟର ୧୦ଟି ଜିଲ୍ଲାରେ ଶନିବାର ରବିବାର ସଟ୍ ଡାଉନ୍ କଟକଣା ଲାଗୁ ହୋଇଛି । ତେବେ ରଥଯାତ୍ରା ଦୃଷ୍ଟିରୁ କେବଳ ପୁରୀ ସହର ପାଇଁ ଲୋକଙ୍କ ସୁବିଧା ନିମନ୍ତେ ଶନିବାର ଓ ରବିବାର ସଟ୍ ଡାଉନ୍ କଟକଣାରେ କୋହଳ ପାଇଁ ଏସଆରସି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଶନିବାର ସହର ବାସୀ ଦୋକାନ ବଜାରକୁ ଯାଇ ପନିପରିବା ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି ।
ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଶ୍ରୀମନ୍ଦିରରେ ଲେଜର୍ ସ୍କାନିଂ କରାଯିବ । ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ରହିଥିବା ଦୁର୍ବଳ ପଥରର ସ୍ଥିତି ଜାଣି ହେବ ଓ ଏସବୁରେ ରହିଥିବା ଫାଟର ମରାମତି କରାଯିବ । ନାଟ ମଣ୍ଡପ, ଗର୍ଭଗୃହ ଓ ଜଗମୋହନର ଲେଜର୍ ସ୍କାନିଂ ହେବ ।
