ବାରିପଦା : ସାଇନାଥ ଯଜ୍ଞାନୁଷ୍ଠାନ, ପାଲବଣୀ ଆନୁକୂଲ୍ୟରେ ଦୀର୍ଘ ଚଉଦ ବର୍ଷ ଧରି ଚାଲିଥିବା ନାମଯଜ୍ଞ ସହିତ ପବିତ୍ର କାର୍ତ୍ତିକ ମାସରେ ଅନୁଷ୍ଠିତ ଶ୍ରୀମଦ୍ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ଉଦ୍ଯାପିତ ହୋଇଯାଇଛି । ୨୫ ନଂ ୱାର୍ଡର ୱାର୍ଡ କାଉନ୍ସିଲର ଦେବାଶିଷ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରବଚନ ଜ୍ଞାନଯଜ୍ଞରେ ବିଶିଷ୍ଟ ପ୍ରବାଚକ ମାନସ ଶେଖର ଭାଗବତ ପଣ୍ଡା ସାତଦିନ ଧରି ପ୍ରତ୍ୟହ ଶ୍ରୀମଦ୍ ଭାଗବତର ରହସ୍ୟ, ଆଜିର ମାନବ ସମାଜର ନୈତିକ ତଥା ଆଧ୍ୟାତ୍ମିକ ଚେତନାର ଉତ୍ତରଣ ପାଇଁ ଭାଗବତ ପଠନ ଓ ଶ୍ରବଣର ଆବଶ୍ୟକତା ସମ୍ପର୍କରେ ତଥା ଭାଗବତ ଶ୍ରବଣ କିପରି ମଣିଷକୁ ଜୀବନ୍ମୁକ୍ତି ପ୍ରଦାନ କରି ପାରିବ ତାହା ସେହି ଗ୍ରନ୍ଥରୁ ବିଭିନ୍ନ ଉଦାହରଣ ଦେଇ ବୁଝାଇ ଥିଲେ । ଆଚାର୍ଯ୍ୟ ସୀତାରାମ ପତିଙ୍କ ଦ୍ୱାରା ଭାଗବତ ପୂଜନ ଓ ଯଜ୍ଞ ତଥା ଅନ୍ୟ ପଣ୍ଡିତମାନଙ୍କ ଦ୍ୱାରା ଭାଗବତ ପାରାୟଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଇନାଥ ଯଜ୍ଞାନୁଷ୍ଠାନର କର୍ମକର୍ତ୍ତା ମଦନ ମୋହନ ମାରାଣ୍ଡି, ଅଶୋକ କୁମାର ମଢୁଆଳ, ଅଜୟ କୁମାର ଜେନା, ଅଶୋକ ବାରିକ୍, ସୁବଳ ଚନ୍ଦ୍ର ବେହେରା, ବଂଶୀଧର ମଲ୍ଲିକ, ଅରୁଣ କୁମାର ମହାପାତ୍ର, ରଘୁନାଥ ସିଂ, ରଜନୀ କାନ୍ତି ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ପ୍ରବଚନର ପଞ୍ଚମ ଦିବସରେ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଓ ୱାର୍ଡ କାଉନ୍ସିଲର ଦେବାଶିଷ ପାତ୍ର ଏବଂ ଇଂ. ବିପ୍ଳବ ଭଞ୍ଜନ ବୁଗୁଡେଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ୱ ଭକ୍ତ ପ୍ରତିଦିନ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରବଚନ ଶ୍ରବଣ କରୁଥିଲେ । ଅନୁଷ୍ଠାନ ତରଫରୁ ପ୍ରବଚନ ଶେଷରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଉଥିଲା ।
Post Views: 29,988