ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ
ପୁରୀ : କାର୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଆଜି ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ତିନି ଠାକୁରଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ ।
ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏଥିନେଇ ଗତ ରାତି ୧୨ଟା ୧୫ରେ ଦ୍ୱାରଫିଟା, ୧୨ଟା ୫୫ ରେ ଭିତର ଶୋଧ, ରାତି ୧ଟାରେ ମଙ୍ଗଳଆଳତୀ, ୧ଟା ୫ରେ ମଇଲମ, ୧ଟା ୧୫ରେ ରୋଷହୋମ, ତଡ଼ପ ଲାଗି, ୧ଟା ୩୫ ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ପରେ ରାତି ୨ଟା ୫୦ରେ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ ବା ସୁନାବେଶ ଶେଷ ହୋଇଥିଲା । ରାତି ୨ଟା ୪୫ରେ ସୂର୍ଯ୍ୟପୂଜା, ୨ଟା ୫୫ରେ ଦ୍ୱାରପାଳ ପୂଜା ଓ ୩ଟା ୧୦ରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇ ୩ଟା ୩୦ ରେ ସକାଳ ଧୂପ ଡାକିଗଲେ । ରାତି ୩ଟା ୩୫ରେ ସକାଳ ଧୂପ ଛେକ, ୩ଟା ୪୦ ରେ ସକାଳ ଧୂପ ପୂଜା ଆରମ୍ଭ ହୋଇ ଭୋର ୪ଟାରେ ସକାଳ ଧୂପ ଟେରା ପଡିଥିଲା । ଭୋର୍ ୪ଟା ୧୦ ରେ ସକାଳ ଧୂପ ଶେଷ, ୪ଟା ୪୦ରେ ବାଳଧୂପ, ୫ଟା ୧୦ରେ ବାଳଧୂପ ଶେଷ, ଭୋର୍ ୫ଟା ୨୦ରେ ବାଳଧୂପ ପ୍ରସାଦ ବାହାରି ପାଣି ପଡିଲା । ପରେ ବନ୍ଦାପନା ଓ ପ୍ରସାଦମଇଲମ, ୫ଟା ୩୦ରେ ଭୋଗମଣ୍ଡପ ପୂଜା ଓ ୫ଟା ୪୦ରେ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା ।
ଏହି ବେଶରେ ଶ୍ରୀଜୀଉମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ହବିଷ୍ୟାଳୀ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଛନ୍ତି । କାର୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭୋର୍ ୫ଟା ୩୮ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ସହ ଠାକୁର ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ସନ୍ଧ୍ୟା ୬ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଦେବ ନୀତି ବନ୍ଦ ରହିଥିଲା । ସଂନ୍ଧ୍ୟା ୬ଟା ୧୯ ରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା । ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଚାଲୁ ରହିଥିଲା । ଆଜି ଦିନତମାମ ଶ୍ରୀମନ୍ଦିର ଖୋଲା ରହିଥିଲା । ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ, ହେଲେ ଭୋଗ ଲଗାଇବା ଓ ଦୀପ ଜାଳିବାରୁ ବଂଚିତ ରହିଥିଲେ ।
ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା, ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୁରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଉଲ୍ଲେଖଯୋଗ୍ୟ, ପଂଚକ ୫ ଦିନରେ ଶ୍ରୀଜୀଉଙ୍କ ୫ ପ୍ରକାରର ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହୋଇଥାଏ । ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ, ତୃତୀୟ ଦିବସରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିବସରେ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା ।
