ଶ୍ରୀଦେବୀଙ୍କ ଜନ୍ମ ବାର୍ଷିକୀ : ଭଲ ହିନ୍ଦୀ ନ କହି ପାରୁଥିଲେ ବି ୯୦ ଦଶକର ଲେଡି଼ ସୁପରଷ୍ଟାର ଥିଲେ ଶ୍ରୀଦେବୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା…
ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ ବାର୍ଷିକୀ । ୧୯୬୩, ୧୩ ଅଗଷ୍ଟରେ ତାମିଲନାଡୁର ମୀନାପାଟ୍ଟୀରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଦେବୀ। ସେ ଆଜି ଆମ ସହିତ ନ ଥିଲେ ବି ତାଙ୍କର ଅଭିନୟର ଜଲଓ୍ବାକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ । ତେବେ, ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା।
-ଶ୍ରୀଦେବୀଙ୍କ ପ୍ରକୃତ ନାମ ଥିଲା ଶ୍ରୀ ଆମ୍ମା ୟାଙ୍ଗର୍ ଆୟାପନ୍ । କିନ୍ତୁ ସିନେମା ଜଗତକୁ ଆସିବା ପରେ ସେ ନିଜ ନାଁ ପରିବର୍ତ୍ତନ କରିଥିଲେ।
-ଶ୍ରୀଦେବୀ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ କି ଖେଳିବା ବୟସରେ ଅଭିନୟ ଆରମ୍ଭ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରେ ଥୁନାଭାନ୍ ଫିଲ୍ମ ସହିତ ଡେବ୍ୟୁ କରିଥିଲେ।
-ଶ୍ରୀଦେବୀଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେଲା ମୋଣ୍ଡ୍ରୁ ମୁଦିଚୁ, ଯାହା ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସ୍ଥାନିତ କରିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ମାତ୍ର ୧୩ ବର୍ଷ ବୟସରେ ରଜନୀକାନ୍ତଙ୍କ ସାବତ ମା ଭୂମିକାରେ ଅଭିନୟ କରିଥିଲେ।
-ଶ୍ରୀଦେବୀ ଅନେକ ସୁପରହିଟ୍ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ‘ବିଟା’। ସେ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ସେ ଅନିଲ କପୁରଙ୍କ ସହ ଅନେକ ଫିଲ୍ମ କରିସାରିଛନ୍ତି। ଏହି ଚଳଚ୍ଚିତ୍ରରୁ ଇଣ୍ଡଷ୍ଟ୍ରିରେ ମାଧୁରୀ ଦୀକ୍ଷିତ ଏକ ଭିନ୍ନ ପରିଚୟ ପାଇଥିଲେ ।
-ଅଭିନୟକୁ ଭଲ ପାଉଥିବା ଶ୍ରୀଦେବୀ ୧୦୩ ଡିଗ୍ରୀ ଜ୍ବରରେ ପୀଡିତ ଥିବା ସମୟରେ ଫିଲ୍ମ ଚାଲବାଜ୍ ର ଏକ ଗୀତ ମଧ୍ୟ ସୁଟିଂ କରିଥିଲେ।
-ହିନ୍ଦୀ ସିନେମାରେ ଅଭିନୟ କରି ଶ୍ରୀଦେବୀ କୋଟି କୋଟି ହୃଦୟ ଜିତିଥିଲେ, କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ହିନ୍ଦୀ ଟିକେ ଦୁର୍ବଳ ଥିଲା । ସେଥିପାଇଁ ତାଙ୍କର ଅଧିକାଂଶ ଫିଲ୍ମରେ ତାଙ୍କ ସ୍ବର ପାଇଁ ଅନ୍ୟ ଜଣେ (ଡବିଂ) କରିଥାଆନ୍ତି।
-ସଫଳତାରେ ଶିର୍ଷରେ ପହଞ୍ଚିଥିବା ଶ୍ରୀଦେବୀଙ୍କୁ ବହୁ ଧନୀ ଆମେରିକୀୟ ଏବଂ ବ୍ରିଟିଶ-ଭାରତୀୟ ପରିବାରରୁ ବିବାହ ପ୍ରସ୍ତାବ ଆସିଥିଲା କିନ୍ତୁ ଅଭିନେତ୍ରୀ ସେସବୁକୁ ପ୍ରତ୍ୟାକ୍ଷାନ କରିଥିଲେ।
-ଅଭିନୟ ବ୍ୟତୀତ ଶ୍ରୀଦେବୀ ଗୀତ ଗାଇବାକୁ ମଧ୍ୟ ଭଲ ପାଉଥିଲେ। ସେ ‘ଚାନ୍ଦନୀ’, ‘ସାଦ୍ମା’, ‘କ୍ଷଣ କ୍ଷଣମ୍’ ଏବଂ ‘ଗରଜାନା’ ଭଳି ଫିଲ୍ମ ପାଇଁ ଗୀତ ଗାଇଛନ୍ତି।
-ଶ୍ରୀଦେବୀଙ୍କୁ ଶେଷ ଥର ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା।
-ଶ୍ରୀଦେବୀ ୧୯୯୬ ମସିହାରେ ବୋନି କପୁରଙ୍କୁ ବିବାହ କରିଥିଲେ ଏବଂ ସେ ଦୁଇ ସନ୍ତାନର ପିତା ଥିଲେ। ଏହି କାରଣରୁ ଶ୍ରୀଦେବୀଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।
– ୨୦୧୮, ୨୪ ଫେବୃଆରୀରେ ଶ୍ରୀଦେବୀ ଏହି ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ। ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡ଼ିଯିବା କାରଣରୁ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସେ ଏକ ପାରିବାରିକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ।
