ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ୧୫ରେ
କଟକ : ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆସନ୍ତା ୧୫ ଓ ୧୬ ତାରିଖରେ କଟକ ଇନଡୋର ଷ୍ଟାଡିୟମରେ ମାତୃଭବନସ୍ଥ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ଆନୁକୂଲ୍ୟରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ ହେବ । ଏଥିରେ ତାମିଲନାଡୁସ୍ଥିତ ଅରୋଭିଲ୍ର ମୁଖ୍ୟ ପ୍ରଶାସକ ଜୟନ୍ତୀ ରବି(ଆଇଏଏସ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୫ ତାରିଖ ପୂର୍ବାହ୍ନ ୧୦ଟା ବେଳେ ଏହାକୁ ଉଦଘାଟନ କରିବେ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଦୁଇ ଦିନିଆ ପାଠଚକ୍ରରେ ବିଭିନ୍ନ ରାଜ୍ୟରୁ ତଥା ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ମହିଳାମାନଙ୍କ ମାଧ୍ୟମରେ ଶୀମା ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ବାର୍ତ୍ତା କିପରି ସାରା ଦେଶରେ ମହିଳାମାନଙ୍କ ମଧ୍ୟରେ ପହଂଚିପାରିବ ସେ ସଂପର୍କରେ ଆଲୋଚନା କରାଯିବ । ଏହା ବ୍ୟତୀତ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିବାରରେ ସେମାନଙ୍କର ସ୍ୱତନ୍ତ୍ର ଭୂମିକା ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗଦେବାର ସମ୍ଭାବନା ରହିଛି । ଏହାର ସଫଳତା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ତଥା ଜନସାଧାରଣଙ୍କର ସହଯୋଗ କାମନା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଅଧ୍ୟକ୍ଷ ଡ. ଶ୍ୟାମା କାନୁନଗୋ, ସପାଦିକା ଡ. ବିଜୟିନୀ ମହାପାତ୍ରଙ୍କ ସମେତ ମନୋରମା ନାୟକ, ନିରୂପମା ପରିଡା, ପ୍ରସାଦ କୁମାର ତ୍ରିପାଠୀ, ଆଶାଲତା ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
