୨୪ ଓ ୨୫ରେ ପ୍ରବଳ ବର୍ଷା ନେଇ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍ଆର୍ସି
- ୧୯ ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଓଡ଼ିଶା ଉପରେ ଏବେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି। ଫଳରେ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ପରିସ୍ଥିତି ଜାରି ରହିବ। ରାଜ୍ୟରେ ପାଗ ଶୁଖିଲା ରହିବ ଓ କାଁଭାଁ କେଉଁଠି କେମିତି ବର୍ଷା ହେବ। ମୌସୁମୀଜନିତ ନିମ୍ନ ଚାପରେଖା ରାଜସ୍ଥାନର ବିକାନେର୍ରୁ ବାହାରି ଟିକମ୍ଗଡ଼, ଜାମ୍ସେଦ୍ପୁର, ବାଲେଶ୍ୱର ଦେଇ ପୂର୍ବ ଦିଗରେ ଗତି କରୁଛି ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାଛଡ଼ା ବିଦର୍ଭ ଆଖପାଖ ଅଞ୍ଚଳରେ ଶନିବାର ରହିଥିବା ଘୂର୍ଣ୍ଣିବଳୟ ରବିବାର ସାମାନ୍ୟ ପଶ୍ଚିମ ଦିଗରେ ଗତି କରିଛି। ଏହା ପ୍ରଭାବରେ ରବିବାର ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ଏହାପରେ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାତ୍ର ଆସନ୍ତା ୨୪ ଓ ୨୫ତାରିଖରେ ରାଜ୍ୟର ୧୯ଟି ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ଉକ୍ତ ୧୯ ଜିଲା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ପାଇଁ ଜିଲାପାଳମନଙ୍କୁ ସତର୍କ କରିଛନ୍ତି। ପାଣିପାଗ ବିଭାଗ ଏହି ସବୁ ଯିଏ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାରୁ ଏନେଇ ଲୋକଙ୍କୁ ସତର୍କ କରାଇବା ସହ ବର୍ଷା ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସ୍ଆର୍ସି ଜିଲାପାଳମାନଙ୍କୁ କହିଛନ୍ତି।
ସୂଚନା ଯେ, ଗତ ଜୁନ୍ ୧ରୁ ଅଗଷ୍ଟ ୨୧ତାରିଖ ମଧ୍ୟରେ ରାଜ୍ୟରେ ପାଖାପାଖି ୫୭୯.୬ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ୮୨୩ ମିମିଠାରୁ ୩୦% କମ୍। ଏଥିରେ ୪ଟି ଜିଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଯାଜପୁରରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦%, କେନ୍ଦୁଝର ଓ ବଲାଙ୍ଗୀରରେ ୪୨% ଲେଖାଏଁ କମ୍ ବର୍ଷା ରେକର୍ଡ ହୋଇଛି।
