୫ ଅପହରଣକାରୀଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଭୁବନେଶ୍ୱର : ଦେଢ଼ କୋଟି ଟଙ୍କା ଦାବିରେ ଅପହରଣ ଅଭିଯୋଗରେ କମିଶନରେଟ୍ ପୋଲିସ୍ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଲକ୍ଷ୍ମୀସାଗର ଅଂଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଲକ୍ଷ୍ମୀସାଗର ଥାନା ଅଂଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ ଓ ଜଣେ ଅବସରପ୍ରାପ୍ତ ସିଭିଲ ସପ୍ଲାଏ ଅଫିସରଙ୍କୁ ଅପହରଣକାରୀମାନେ ଅପହରଣ କରିଥିଲେ । ପୋଲିସ କହିଛି ମନୋଜ ଜଗନ୍ନାଥ ନଗରରେ ଏକ ଘର ନିର୍ମାଣ କରୁଥିଲେ । ଗତ ୨୪ ତାରିଖ ଘର କାମ ଦେଖିବାକୁ ଯାଇଥିଲେ । ହେଲେ ସେଦିନ ସେ ଆଉ ଫେରି ନଥିଲେ । ରାତିରେ ତାଙ୍କ ପତ୍ନୀଙ୍କ ନିକଟକୁ ଅପହରଣକାରୀମାନଙ୍କ ଫୋନ୍ କଲ ଆସିଥିଲା । ଦେଢ଼ କୋଟି ଟଙ୍କା ଦେଲେ ମନୋଜଙ୍କୁ ଛାଡିବେ ବୋଲି ଅପହରଣକାରୀମାନେ କହିଥିଲେ । ମନୋଜଙ୍କ ପତ୍ନୀ ତୁରନ୍ତ ଏନେଇ ଲକ୍ଷ୍ମୀସାଗର ଥାନାରେ ଜଣାଇଥିଲେ । ଅଭିଯୋଗ ଆଧାରରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ପୁଲିସ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ୨୪ ଘଂଟା ଭିତରେ ପୁଲିସ ଟିମ୍ ଜାଣିବାକୁ ପାଇଥିଲେ ଯେ ଅପହରଣକାରୀ ଉକ୍ତ ବୟସ୍କ ଲୋକଙ୍କୁ ଡେଲାଙ୍ଗ ଅଂଚଳରେ ରଖିଛନ୍ତି । ଏହା ପରେ ପୁଲିସ ଚଢ଼ଉ ଆରମ୍ଭ କରିଥିଲା । ହେଲେ ସେତେବେଳେ ଅପହରଣକାରୀମାନେ ଫେରାର ହେବାକୁ ସକ୍ଷମ ହେଇଥିଲେ । ପୁଲିସ ୨୪ ଘଂଟା ଭିତରେ ଅପହୃତଙ୍କୁ ଉଦ୍ଧର କରିଥିଲା । ପୁଲିସ ଏହି ମାମଲାର ତଦନ୍ତ ଭିତରେ ଆଜି ୫ ଜଣ ଅପହରଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
