ପାର୍ବଣ ପାଇଁସ୍ୱତନ୍ତ୍ର ଗାଇଡ଼ଲାଇନ : ବିନା ଭକ୍ତରେ ଗଣେଶ, ଦୁର୍ଗା, ଲକ୍ଷ୍ମୀ ଓ କାଳୀପୂଜା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ଏବେ ବି ତୃତୀୟ ଲହର ଆଶଙ୍କା ରହିଛି । ପାର୍ବଣ ଋତୁ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ ଗତବର୍ଷ ଭଳି ଏବର୍ଷ ବି ବିନା ଭକ୍ତରେ ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଅନୁଷ୍ଠିତ ହେବ। ପରମ୍ପରାକୁ ରକ୍ଷା କରିଵା ପାଇଁ ନିରାଡମ୍ବର ଭାଵେ ପୂଜା କରାଯିବ। କରୋନା କଟକଣା ସହ ପୂଜା ଆୟୋଜନ ପାଇଁ କମିଟି ଗୁଡିକୁ ଅନୁମତି ପ୍ରଦାନ କରାଯାଇଛି । ସବୁ ପୂଜାମଣ୍ଡପରେ ୪ଫୁଟରୁ କମ୍ ଉଚ୍ଚତାରେ ମୂର୍ତ୍ତି ହେବ । କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ଜଣଙ୍କୁ ଉକ୍ତ ସ୍ଥାନରେ ରହିବାକୁ ଅନୁମତି ମିଳିବ । ତେବେ ମଣ୍ଡପରେ ପୂଜା ପାଇଁ ପ୍ରଶାସନର ଅନୁମତି ଜରୁରୀ । ମଣ୍ଡପରେ କୌଣସି ପ୍ରକାରର ସାଜସଜ୍ଜା ଓ ଭୋଜିକୁ ବାରଣ କରାଯାଇଛି । ଏହାବ୍ୟତୀତ ମୂର୍ତ୍ତୀ ବିସର୍ଜନ, ଶୋଭାଯାତ୍ରା ମନା, କୁତ୍ରିମ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ । ମେଲୋଡି, ଭଜନ ସନ୍ଧ୍ୟା ଭଳି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ।
ଏହାବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଷ ପୂଜା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । ଅଳ୍ପ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହୋଇପାରିବ । ଅନୁଷ୍ଠାନରେ କରୋନା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲାପାଳ ଓ ମୁନସିପାଲ୍ କମିସନର ଓ କଟକ-ଭୁବନେଶ୍ବର କମିସନରେଟ୍ ପୋଲିସକୁ ଦାୟିତ୍ବ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।
