ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ! ନୋଟିସ୍ ଜାରି କରି ବିଧାନସଭା ସଦସ୍ୟତା ଯୋଗ୍ୟତା ଉପରେ ଜବାବ ମାଗିଲେ ବାଚସ୍ପତି
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ, ଶିବସେନାର ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଠାକରେ ଗୋଷ୍ଠୀ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି । ବାଚସ୍ପତି ରାହୁଲ ନିର୍ବେକର ଶନିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ୪୦ ବିଧାୟକ ଏବଂ ଉଦ୍ଧାବ ଠାକରେଙ୍କ ଗୋଷ୍ଠୀର ୧୪ ବିଧାୟକଙ୍କୁ ନୋଟିସ୍ ଜାରି କରି ବିଧାନସଭା ସଦସ୍ୟତା ଯୋଗ୍ୟତା ଉପରେ ଜବାବ ମାଗିଛନ୍ତି ।
ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ନିର୍ବେକର ଏକ ବୟାନ ଦେଇ କହିଥିଲେ, ରାଷ୍ଟ୍ରୀୟ ନିର୍ବାଚନ ଆୟୋଗଙ୍କ ଠାରୁ ଶିବସେନାକୁ ନେଇ ନିର୍ଦ୍ଦେଶ ମିଳିଛି, ଶୀଘ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ସହିତ ୧୬ ଶିବସେନା ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅଯୋଗ୍ୟ ଯାଚିକାର ଶୁଣାଣି ହେବ । ନିର୍ବେକର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ କହିଥିଲେ, ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ୪୦ ବିଧାୟକ ଏବଂ ଉଦ୍ଧାବ ଗୋଷ୍ଠୀର ୧୪ ବିଧାୟକଙ୍କୁ ନୋଟିସ୍ ଜାରି କରି ଯୋଗ୍ୟତା ଉପରେ ଜବାବ ମଗାଯାଇଛି ।
ଚଳିତ ସପ୍ତାହ ଆରମ୍ଭରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅଯୋଗ୍ୟ ଯାଚିକା ଉପରେ ଶୀଘ୍ର ଶୁଣାଣି କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ବିଧାୟକ ସୁନିଲ ପ୍ରଭୁ ଅଭିବକ୍ତ ଶିବସେନାର ମୁଖ୍ୟ ସଚେତକ ଭାବେ ଏକନାଥ ସିନ୍ଦେ ଓ ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଯାଚିକା ଦାୟର କରିଥିଲେ । ଶୀର୍ଷ ଅଦାଲତ ମେ’ ୧୧ ତାରିଖରେ କହିଥିଲେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ରହିପାରିବେ । କାରଣ ଉଦ୍ଧାବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଆଘାଡୀ ସରକାର ଚଳାଇବାକୁ ଅକ୍ଷମ ଥିଲେ । ତେଣୁ ସେ ବିଧାନସଭାରେ ବହୁମତ ପରୀକ୍ଷାକୁ ସାମ୍ନା କରିବା ପୂର୍ବରୁ ଇସ୍ତଫା ଦେଇଥିଲେ ।
