ସୋର ରେଳ ଷ୍ଟେସନରେ ଅଘଟଣ ! ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବିଦ୍ୟୁତ ବୋର୍ଡ, ଯାତ୍ରୀ ହନ୍ତସନ୍ତ
ସୋର : ବାଲେଶ୍ୱର ଜିଲା ସୋର ରେଳ ଷ୍ଟେସନରେ ଅଘଟଣ । ଜଳିଗଲା ଷ୍ଟେସନରେ ଥିବା ମୁଖ୍ୟ ବିଦ୍ୟୁତ ବୋର୍ଡ । ରାତି ସାରା ଅନ୍ଧାରରେ ସୋର ଷ୍ଟେସନ । ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ରବିବାର ରାତି ପ୍ରାୟ ୧୧ଟା ସମୟରେ ସୋର ରେଳ ଷ୍ଟେସନରେ ଥିବା ମୁଖ୍ୟ ବିଦ୍ୟୁତ ବୋର୍ଡ ଜଳିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ହୁତହୁତୁ ହୋଇ ଜଳିଯାଇଥିଲ ବିଦ୍ୟୁତ ବୋର୍ଡ । ଯାହା ଫଳରେ ରାତି ସାରା ଷ୍ଟେସନ ଅନ୍ଧାରରେ ରହିଥିଲା । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ଲାଟଫର୍ମରେ ଲାଗିଥିବା ଲାଇଟ୍ ସବୁ ଲିଭିଯିବା ସହ ପଙ୍ଖା ବନ୍ଦ ହୋଇଯାଇଥିଲା । ଅନ୍ଧାର ରାତିରେ ମଶା ଓ ଗରମ ଯୋଗୁଁ ରେଳ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅସାମାଜିକ ଲୋକଙ୍କ ଭୟରେ ଯାତ୍ରୀ ମାନେ ରାତି କାଟିଥିଲେ । ସୂଚନା ଯେ, ଗତ ଦୁଇମାସ ଭିତରେ ଚାରିଥର ସର୍ଟ ସର୍କିଟ ଯୋଗୁ ଅନ୍ଧାରରେ ରହିଲାଣି ଷ୍ଟେସନ । ହେଲେ ସମସ୍ୟା ସମାଧାନ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।
