ଦୁର୍ଗା ପୂଜାରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା
ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରସିଦ୍ଧ ଦୁର୍ଗା ପୂଜା ମଧ୍ୟରେ ଅନ୍ୟତମ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା ।
ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । ଏହିଦିନ ଦୁତିବାହାନ ପୂଜା କରାଯାଇଥାଏ । ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର, ଗଙ୍ଗାଜଳରେ ମା’ଙ୍କ ସ୍ନାନ ପରେ ନଅ ପ୍ରକାରର ଭୋଗଲାଗି କରାଯାଇଥାଏ । ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟାରେ ମନ୍ଦିର ବନ୍ଦ କରାଯାଏ । ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ୱରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି । ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦେବୀ ଦର୍ଶନ ଦିଅନ୍ତି। ପୂର୍ଣ୍ଣିମା ରାତି ମନ୍ଦିରରେ ନୂତନ ଧ୍ୱଜା ସ୍ଥାପନ କରାଯାଏ।
ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ :
ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।
ନବରାତ୍ର ଅଖଣ୍ଡ ଦୀପ :
ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ଼ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତି ମାଁ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହୋଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।
