ବାଲେଶ୍ୱରରେ ସ୍ଥିତି ବେହାଲ : ବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ବନ୍ୟା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ସ୍ଥିତି ବେହାଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମସ୍ତ ନଦୀରେ ପ୍ରାୟତଃ ବନ୍ୟା ପରିସ୍ଥିତି । ବିଶେଷ କରି ଜିଲାରେ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବହୁ ଅଞ୍ଚଳ ଏବେ ପାଣି ଘେରରେ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ସୁବର୍ଣ୍ଣରେଖାରେ ୯.୪୦ମିଟର ଉପରେ ନଦୀ ଜଳ ପ୍ରଭାବିତ ହେଉଥିବାବେଳେ ଏହାର ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ସତର୍କ ସଙ୍କେତ ୯.୪୫ମିଟର ଉପରେ ରହିଛି । ସେହିପରି ବୁଢ଼ାଳବଳଙ୍ଗ ୭.୬୬ମିଟର ଜଳ ପ୍ରବାହିତ ହେଉଥିବାବେଳେ ଏହାର ବିପଦ ସଙ୍କେତ ୮.୧୩ମିଟର ଓ ସତର୍କ ସଙ୍କେତ ୭.୨୧ମିଟର । ସେହିପରି ସନ୍ଧ୍ୟା ୬ଟା ସୁଦ୍ଧା ୬.୬୦ମିଟର ଉଚ୍ଚରେ ଜଳ ପ୍ରଭାବିତ ହେଉଥିବାବେଳେ ଏହାର ବିପଦ ସଙ୍କେତ ୫.୫୦ମିଟର ଥିବାବେଳେ ସତର୍କ ସଙ୍କେତ ୩.୫୦ମିଟରରେ ରହିଥିବାବେଳେ ପାଖାପାଖି ୪୦ରୁ ଉର୍ଦ୍ଧ ପଞ୍ଚାୟତ ବନ୍ୟା ଘେରରେ ରହିଛି । ସେହିପରି ବାଲେଶ୍ୱର ସହର ତଳି ଅଞ୍ଚଳରେ ବଳଙ୍ଗର ବନ୍ୟା ଜଳ ପ୍ରବେଶ ଯୋଗୁଁ ଏନ୍ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ୧୫ତାରିଖ ଅପରାହ୍ନରେ ଦର୍ଜିପୋଖରୀ ଅଞ୍ଚଳରେ ପାଣି ଘେରରେ ଥିବା ଗୋଟିଏ ପରିବାରକୁ ଉଦ୍ଧାର କରାଯାଇଛି । ଏଣେ ୨୪ଘଣ୍ଟା ମଧ୍ୟରେ ୩୬୧.୩ମିଟର ବୃଷ୍ଟି ଆକଳନ କରାଯାଇଛି । ଭୋଗରାଇରେ ୧୨୨.୨ମି.ମି., ବସ୍ତାରେ ୨୨ମି.ମି., ଜଳେଶ୍ୱରରେ ୬୮ମି.ମି., ବାଲେଶ୍ୱରରେ ୧୮, ରେମୁଣା ୧୮, ନୀଳଗିରି ୧୪, ସୋର ୧୦, ବାହାନଗା ୨୨, ସିମୁଳିଆ ୧୩, ଖଇରା ୫, ଔପଦା ୬ମିମି. ବୃଷ୍ଟି ଆକଳନ କରାଯାଇଛି ।
ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଗତ ୪ ଦିନ ଧରି ୯୯୦ ମିମି ବର୍ଷା ହୋଇଥିବାରୁ ବୁଧବାର ନଦୀର ରାଜଘାଟ ଠାରେ ଜଳପତ୍ତନ ଦୃତ ବୃଦ୍ଧି ପାଇବାରେ ଲାଗିଛି । ଜଳେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ମିମି ବର୍ଷା ହୋଇଥିବାରୁ ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକ ପାଣି ଘେରରେ ରହିଛି । ବୁଧବାର ମଧ୍ୟରାତ୍ରି ସୁଦ୍ଧା ସୁବର୍ଣ୍ଣରେଖାର ଜଳପତ୍ତନ ବାଲେଶ୍ୱର ଜିଲାର ରାଜଘାଟ ଠାରେ ବିପଦ ସଂକେତ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜଳେଶ୍ୱର ଅଞ୍ଚଳରେ ଅଦ୍ୟାବଧି ୪୦୦ ମିମି ବର୍ଷା ହୋଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୭୦ ମିମି ବର୍ଷା ହୋଇଥିବାର ସରକାରୀଭାବେ କୁହାଯାଇଛି । ସେହିପରି ସୁବର୍ଣ୍ଣରେଖା ନଦୀର ମୁରି, ଆଦିତ୍ୟପୁର, ଜାମସେଦପୁର, କରକାଇ, ଚନ୍ଦିଲି, ଘାଟଶିଳା, ଫେକଘାଟ, ଜାମଶୋଳାଘାଟ, ଗୋପିବଲ୍ଲଭପୁର ଓ ରାଜଘାଟ ଉପତ୍ୟାକାରେ ଗତ ୪ ଦିନ ମଧ୍ୟରେ ୯୯୦ ମିମି ବର୍ଷା ହୋଇଥିବାରୁ ନଦୀର ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି । କେନ୍ଦ୍ରୀୟ ଜଳକମିଶନଙ୍କ ସୂଚନା ଅନୁଯାୟୀ ବୁଧବାର ସୁବର୍ଣ୍ଣରେଖାର ଚାନ୍ଦିଲି ଡେମ୍ଠାରେ ୭ଟି ଫାଟକ ଖୋଲାଯାଇ ୧୦୮୨.୭୨ କ୍ୟୁମେକ୍ ଓ ଗାଲୁଡିହଠାରେ ୭ଟି ଫାଟକ ଖୋଲାଯାଇଥିବା ବେଳେ ସେଠାରେ ୨୦୧୦.୪୫୦ କ୍ୟୁମେକ ବନ୍ୟାପାଣି ପ୍ରବାହିତ ହେଉଥିବା କହିଛନ୍ତି । ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ନିଶ୍ଚିତ ହୋଇଥିବାର କେନ୍ଦ୍ରୀୟ ଜଳ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବୁଧବାର ସନ୍ଧ୍ୟାରେ ରାଜଘାଟଠାରେ ଜଳପତ୍ତନ ୯.୩୦ ମିଟର ଅତିକ୍ରମ କରିଥିବା ବେଳେ ସେଠାରେ ସତର୍କସ୍ତର ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬ ମିଟର ରିହିଛି । ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି ଓ ବିପଦ ସଂକେତ ରାଜଘାଟଠାରେ ଛୁଇଁବା ସଂପର୍କରେ ଜଳସଂପଦ ବିଭାଗ ସୂତ୍ର୍ରରୁ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ର୍ର୍ରଭାସ ପ୍ରଧାନ ସୂଚନା ଦେଇଛନ୍ତି ।
ସେହିପରି ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ଲଗାତାର ତନିଦିନ ଧରି ସଂଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବା ବେଳେ ମଙ୍ଗଳବାର ମଧ୍ୟରାତ୍ରିରୁ ତାହାର କୂଳ ଲଂଘିଥିଲା । ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ୬.୩୭ ମିଟର ଅତିକ୍ରମ କରିଥିଲା । ତେବେ ମଧ୍ୟ ରାତ୍ର ବେଳକୁ ଏହା ୬.୫୦ ଅତିକ୍ରମ କରି ଏହାର କୂଳ ଲଂଘିବା ଆରମ୍ଭ କରିଥିଲା । ଲଗାତାର ବର୍ଷା ଲାଗିରହିବା ଏବଂ ନଦୀର ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ବୁଧବାର ଅପରାହ୍ନ ଠାରୁ ନଦୀର ଜଳ ସ୍ତ୍ଥର ୬.୬୦ରେ ସ୍ଥିର ଥିବା ଜଣାଯାଇଛି । ତଳିଆ ଅଞ୍ଚଳ ତଳତାପଣ୍ଡା, ପେଗରପଡା, ମଥାନୀ, ଶିବଗୋତିିଆ, ମେଳକ, ଚକୁରୀ, ରାଉତପଡା, ଲକ୍ଷ୍ମଣପଡା, ବଡଖୁଡି, ଧଳସାହି ଆଦି ସ୍ଥାନରେ ବଡ଼ଧରଣର ବନ୍ୟା ଆଶଙ୍କରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ବୁଧବାର ଅପରାହ୍ନରେ ମଥାନୀ-ଗାନ୍ଧିଛକ ରାସ୍ତାର ମଥାନୀ ଚଟାଣ ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିବା ବେଳେ ନୁଆଗାଁ-ପଳାସିଆ ରାସ୍ତାରେ ମଧ୍ୟ ପାଣି ଚାଲିଥିବା ଜଣାପଡ଼ିଛି । ଉପର ମୁଣ୍ଡରେ ବର୍ଷା ଏବେ ମଧ୍ୟ ଲାଗିରହିବା ଏବଂ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୭ ତାରିଖରେ ପୁଣି ଏକ ଲଘୁଚାପର ସମ୍ଭାବନା ଯୋଗୁଁ ବଡ଼ଧରଣର ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ପ୍ରଶାସନ ତରଫରୁ ସବୁ ତଳିଆ ଅଞ୍ଚଳରେ ଥିବା ଗ୍ରାମବାସୀମାନଙ୍କୁ ସତର୍କ ରହିବା ସହ ପାଖରେ ଥିବା ଅଙ୍ଗନବାଡ଼ି ବା ସ୍କୁଲ ଘରକୁ ଚାଲିଆସିବା ପାଇଁ ପରାମର୍ଶ ଦିଆଯାଇଥିବା ବସ୍ତା ବିଡିଓ ଜ୍ଞାନରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।
