ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା
ରିଆମାଳ : ରିଆମାଳ ବ୍ଲକ ଲୁଲଙ୍ଗ୍ ପଞ୍ଚାୟତ ଅନ୍ତର୍ଗତ ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ାରେ ବାଧା ସୃଷ୍ଟି ହେବାରୁ ଶିକ୍ଷା କମିଟି ପ୍ରଶାସନ ନିକଟରେ ବାରମ୍ୱାର ଅଭିଯୋଗ କରିବା ସତ୍ୱେ ବିଫଳ ହୋଇଛି । ସେଥିପାଇଁ ଶିକ୍ଷା କମିଟି ଓ ଅଭିଭାବକମାନେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିବାବେଳେ ବିଦ୍ୟାଳୟ ବାହାରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ । ସିମିଳିତା ବିଦ୍ୟାଳୟ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏଠାରେ ସିଆରସିସି ପ୍ରଫୁଲ୍ଲ ପ୍ରଧାନଙ୍କ ବ୍ୟତୀତ ୩ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ସିଆରସିସ ନିଜ କାମରେ ବ୍ୟସ୍ତ ଥିବାବେଳେ ବାକି ୩ଜଣ ଶିକ୍ଷକ ଥିବାରୁ ସୁଚାରୂ ରୂପେ ସମସ୍ତ କ୍ଲାସରେ ପାଠପଢ଼ା ହୋଇ ପାରୁନାହିଁ ।
ପ୍ରକାଶଥାଉ କି, ସିମିଳିତା, ବିଜାନାଳୀ, ପୁରୁଣାପାଣି ଓ ସିମିଳିହୋତା ଆଦି ୪ଟି ଗ୍ରାମର ଛାତ୍ରଛାତ୍ରୀମାନେ ଉକ୍ତ ବିଦ୍ୟାଳୟରେ ପାଠ ପଢ଼ିଥାନ୍ତି । ପାଠପଢ଼ାରେ ବାଧାପ୍ରାପ୍ତ ହେବାରୁ ଗତ ୩୧ ତାରିଖରେ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ୨୮ ତାରିଖରେ ଲୁଲଙ୍ଗ୍ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଜଣାଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ୪ ଗ୍ରାମର ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷା କମିଟି ଆଜି ଏକଜୁଟ୍ ହୋଇ ବିଦ୍ୟାଳୟକୁ ଆସି ଫାଟକରେ ତାଲା ପକାଇ ଶିକ୍ଷକଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ । ଅନ୍ୟପଟେ ୨ଜଣ ଶିକ୍ଷକଙ୍କୁ ପୁନଃନିଯୁକ୍ତି ନଦେବା ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରେ ତାଲା ଝୁଲୁଥିବ ବୋଲି ଶିକ୍ଷା କମିଟିର ସଭାପତି ବିଶ୍ୱନାଥ ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।
