ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିରେ ବାଲିଆପାଳ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀରବ ପ୍ରତିବାଦ
ବାଲିଆପାଳ : ବାଲେଶ୍ୱର ଜିଲା ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ଡାକରାରେ ଜିଲାର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦାବି ନେଇ ଶନିବାର ପୂର୍ବାହ୍ନରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବାଲିଆପାଳ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିରବ ପ୍ରତିବାଦ ସଭା ଓ ସିଡିଏମଓଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ ଜିଲାବାସୀଙ୍କୁ ଉନ୍ନତ ଓ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୦୦୫ ମସିହାରୁ ଜିଲାବାସୀଙ୍କ ଦାବୀ ଓ ଗଣତାନ୍ତ୍ରିକ ଆନ୍ଦୋଳନର ଫଳ ସ୍ୱରୂପ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଛି । ମେଡିକାଲ କଲେଜରେ ଛାତ୍ରୀଛାତ୍ରମାନେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଉଛି । ସେହିପରି ଜିଲାର ବହୁ ସରକାରୀ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦିଆଯାଉ ନାହିଁ । ବାଲେଶ୍ୱରରେ ଏମ୍ସ ସେଟେଲାଇଟ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହୋଇ ସପ୍ତାହରେ ଦୁଇ ଦିନ କାର୍ଯ୍ୟକ୍ଷମ ହେବା, ଟ୍ରୋମା ସେଣ୍ଟର ପ୍ରତିଷ୍ଠା, ମେଡ଼ିକାଲ କଲେଜରେ ସିଟ୍ ସଂଖ୍ୟା ୧୦୦ ରୁ ୧୫୦ କୁ ବୃଦ୍ଧି ସହିତ ବିଭିନ୍ନ ଦାବି ସମୂହକୁ କମିଟି ପକ୍ଷରୁ ବାରମ୍ବାର ନିର୍ବାଚିତ ପ୍ରତିନିଧି, ଉଚ୍ଚ ପଦାଧିକାରୀ ଏବଂ ଉଭୟ ସରକାରଙ୍କୁ ଅବଗତ କରାଇବା ପରେ କୌଣସି ସୁଫଳ ନମିଳିବା ଏବଂ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲି ପଡ଼ିଥିବା ସହିତ ବିଭିନ୍ନ ଟେକ୍ନିକାଲ ପଦବୀର ସ୍ଥାୟୀ ନିଯୁକ୍ତି ଦାବୀରେ ବାଲିଆପାଳ କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମୀ ମୁହଁରେ କଳାକନା ବାନ୍ଧି ନିରବ ପ୍ରତିବାଦ ପ୍ରଦର୍ଶନ କରିବା ସହିତ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ଦାବୀରେ ମୁଖ୍ୟମନ୍ତ୍ରୀ ଏବଂ ସିଡିଏମଓଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ ଥିବା ଡା. ସତ୍ୟରଞ୍ଜନ ପାଣିଗ୍ରାହୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ମେଡିକାଲ କ୍ରିୟାନୁଷ୍ଠାନ କମିଟି ବାଲିଆପାଳ ଶାଖାର ସଭାପତି ନାରାୟଣ ପ୍ରସାଦ ସାହୁ, ସମ୍ପାଦକ ସନ୍ୟାସୀ ବେହେରା, କୁଞ୍ଜକାନ୍ତ ପାତ୍ର, ଝାଡ଼େଶ୍ୱର ପ୍ରଧାନ, ବିଜୟ ପାତ୍ର, ଅନନ୍ତ ଗିରି, ବିରମାଧବ ଦାସ, ଗୁଣାକର ପାଳଙ୍କ ସହିତ ଅନ୍ୟ ସଦସ୍ୟ ମାନେ ପ୍ରତିବାଦ ସଭା ଓ ଦାବୀ ପତ୍ର ପ୍ରଦାନରେ ସାମିଲ ହୋଇଥିଲେ ।
