ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ଆଜି ସୁପ୍ରିମକୋର୍ଟର ଶୁଣାଣି
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ଗତ ମେ’ ମାସ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ସ୍ବତନ୍ତ୍ର ଲିଭ ପିଟିସନର ଶୁଣାଣି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଭ୍ୟାକେସନ ବେଞ୍ଚରେ ହେବ । ସୂଚନା ଅନୁସାରେ ଅର୍ଦ୍ଧେନ୍ଦୁଙ୍କ ଓକିଲ ମହାଲକ୍ଷ୍ମୀ ପାଭାନି ଏଥିପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ ।
ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି । ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେ ଦର୍ଶାଇଛନ୍ତି । ନିର୍ମାଣ ଉପରେ ରୋକ ଲଗାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା ଏଣୁ ଦୁହେଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ମନ୍ଦିର ପ୍ରତି ବିପଦ ରହିଛି । ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ଦେଖାଦେଇଥିବା ବେଳେ ନିର୍ମାଣ ବନ୍ଦ କରିବା ପାଇଁ ଆବେଦନକାରୀ ଦ୍ୱୟ ହାଇକୋର୍ଟରେ ଅପିଲ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣି ଶୀଘ୍ର ହୋଇପାରିନଥିଲା । ଯେଉଁଥିପାଇଁ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ, ଓଡ଼ିଶା ସରକାରଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
