ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲାରେ ଆଜି ଶୁଣାଣି ହେବ। ସେପଟେ ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ପରିକ୍ରମା ପ୍ରକଳ୍ପ ଓ ଚତୁଃପାର୍ଶ୍ବ ଖନନ ସଂପର୍କିତ ରିପୋର୍ଟ ସତ୍ୟପାଠ ଜରିଆରେ ପ୍ରଦାନ କରିପାରିନାହିଁ। ଫଳରେ, ପୁଣିଥରେ ପ୍ରତ୍ନତତ୍ତ୍ବ ବିଭାଗ ସମୟ ଗଡ଼ାଇବା ଆଶଙ୍କା ଦେଖାଦେଇଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିମାସ ଧରି ବାଦବିବାଦ ଲାଗି ରହିଛି। ପରିକ୍ରମା ପ୍ରକଳ୍ପ ଆଳରେ ଆମ୍ସାର ଆଇନକୁ ଖୋଲା ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇ ଆସୁଛି। ନିଷିଦ୍ଧାଞ୍ଚଳରେ ଏକ୍ସାଭେଟର, ଜେସିବି ଆଦି ବଡ଼ ବଡ଼ ଯନ୍ତ୍ରାଂଶରେ ଖନନ ଫଳରେ ଶ୍ରୀମନ୍ଦିର ନାଟମଣ୍ଡପ, ବେହେରଣ ଦ୍ବାର, ଘଣ୍ଟିଦ୍ବାର ଆଦି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହା ବିରୋଧରେ ପୁରୀର ସାମାଜିକ କର୍ମୀ ଦିଲୀପ ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆମ୍ସାର ଆଇନକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ବେଆଇନ୍ ଖନନ ଓ ନିର୍ମାଣ ଭିତରେ ୮ଶହ ବର୍ଷର ଶ୍ରୀମନ୍ଦିର ବିପଦ ଭିତରକୁ ଠେଲି ହୋଇଯାଇଥିବା ଅଭିଯୋଗ କରି ଏହି ନିର୍ମାଣ ଓ ଖନନ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି।
