ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଡିଜିଟାଇଜେସନ୍ ହେବ ମହାପ୍ରଭୁଙ୍କ ଜମି
ପୁରୀ: ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କେତେଗୁଡ଼ିଏ ଗୁରୁତ୍ୱରୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିର ସଠିକ୍ ଆକଳନ କରାଯିବ । ଏଥିସହ ଏସବୁର ବିକ୍ରି ପାଇଁ ସମସ୍ତ ଜମିର ଡିଜିଟାଇଜେସନ କରାଯିବ । ବୈଠକରେ ଆଦର୍ଶ ଗୁରୁକୁଳ ପାଇଁ ଏମ୍ଓୟୁ ଚୁଡାନ୍ତ ହୋଇଛି । ଏହି ନିଷ୍ପତି ନିଆଯାଇଛି । ସେହିପରି ସେବାୟତ ଆଦର୍ଶ ଗୁରୁକୁଳ ଓ ସେବାୟତ ଆବାସ ଯୋଜନାକୁ ତ୍ବରାନ୍ବିତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା କାର୍ତ୍ତିକ ନୀତିକାନ୍ତିରେ ବି ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିଛି।
ଆଲୋଚନା ପରେ ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଗତ ଅଗଷ୍ଟ ୬ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀ ଆଜିର ବୈଠକରେ ଦୃଢ଼ୀକରଣ ହୋଇଥିଲା। ସେହିଭଳି ମେ ୩୧ ଓ ଜୁନ ୬ ତାରିଖ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା। ଗତ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ କାର୍ତ୍ତିକ ନୀତିକାନ୍ତିକୁ କମିଟି ଅନୁମୋଦନ କରିଛି। ଅନ୍ୟତମ ଗୁରୁତ୍ବ ପ୍ରସଙ୍ଗ ଥିଲା, ମହାପ୍ରଭୁଙ୍କ ଜମିଜମା। ଏହାର ଡିଜିଟାଇଜେସନ୍ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଓରସେକ୍ ଟେକ୍ନୋଲୋଜିକୁ ଏହାର ଦାୟିତ୍ବ ଦିଆଯାଇଛି। ଓରସେକ୍ ଟେକ୍ନୋଲୋଜି ଡିଜିଟାଇଜେସନ୍ ସଫ୍ଟୱେୟାର ବିକାଶ କରିବ। ଏଥିପାଇଁ ଓରସେକ୍କୁ ଡିପିଆର୍ ମଗାଯାଇଛି। ଓରସେକ୍ର ଡିପିଆର୍ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିବା ପରେ ଏହା ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସେହି ଅନୁସାରେ ମହାପ୍ରଭୁଙ୍କ କେତେ ଜମି କେଉଁଠି ଅଛି, ତାର ସବିଶେଷ ଡାଟାବେସ ତିଆରି ହେବ।
ସେବାୟତ ଆଦର୍ଶ ଗୁରୁକୁଳ ସୋସାଇଟି ଆକ୍ଟରେ ଚଳାଇବାକୁ ନିଷ୍ପତ୍ତି ପରେ ଏହାକୁ ସୋସାଇଟି ଆକ୍ଟରେ ପଞ୍ଜୀକରଣ ପାଇଁ ଆଇଜି ରେଜିଷ୍ଟ୍ରେସନ୍ରେ ଆବେଦନ କରାଯାଇଛି। ଯାହା କିଛି ଆପତ୍ତି ଥିଲା, ତାର ଜବାବ ଦିଆଯାଇଛି। ଖୁବ୍ଶୀଘ୍ର ପଞ୍ଜୀକରଣ କାମ ସରିଯିବ। ଅନ୍ୟପଟେ ଆଦର୍ଶ ଗୁରୁକୁଳ ପାଇଁ ଚିହ୍ନଟ ଜମିକୁ ଲିଜ୍ ଆକାରରେ ଆଦର୍ଶ ଗୁରୁକୁଳ ସୋସାଇଟିକୁ ଦେବାକୁ ନିଷ୍ପତ୍ତି ହୋଇଛି। ସେବାୟତ ଆଦର୍ଶ ଗୁରୁକୁଳ ଚଳାଇବାକୁ ବିର୍ଲା ମେଡିକାଲ୍ ରିସର୍ଚ୍ଚ ଆଣ୍ଡ୍ ଏଜୁକେସନ୍ ଫାଉଣ୍ଡେସନ୍ ସହ ଏମ୍ଓୟୁ ସ୍ବାକ୍ଷର ହେବାକୁ ଯାଉଥିବା ବେଳେ ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିର୍ଲା ଫାଉଣ୍ଡେସନ୍ ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ। ସେହିଭଳି ସେବକ ଆବାସ ଯୋଜନାରେ ପ୍ରାୟ ୪ଶହ ସେବାୟତଙ୍କୁ ୬୫୦ ବର୍ଗଫୁଟର ଜି+୩ ଟାଇପ ଘର ଯୋଗାଇ ଦେବାକୁ ଯୋଜନା କରାଯାଇଛି। ଏ ସମ୍ପର୍କରେ ଶ୍ରୀ ଯାଦବ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ହରଚଣ୍ଡୀସାହି ମୌଜାରେ ସେବକ ଆବାସ ଯୋଜନାରେ ଗରିବ ସେବାୟତମାନଙ୍କୁ ଘର ଯୋଗାଇ ଦେବାକୁ ଯୋଜନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଜାଗାରେ ପାଚେରି ବୁଲାଯିବ। ଏଥିପାଇଁ ଟେଣ୍ଡର ଡକାଯାଇଛି, ଆସନ୍ତା ଅକ୍ଟୋବର ୬ ତାରିଖରେ ଏହି ଟେଣ୍ଡର ଖୋଲିବ। ପାଚେରି ନିର୍ମାଣ ପରେ ପରବର୍ତ୍ତୀ କାମ ଆରମ୍ଭ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି।
ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । କାର୍ତିକ ମାସରେ ଶୃଙ୍ଖଳିତ ନୀତି, ଦର୍ଶନ ବ୍ୟବସ୍ଥା, ସୁବିଧାରେ ମହାପ୍ରସାଦ ଯୋଗାଣ ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ବା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଏଜେଣ୍ଡାରେ ନଥିବାରୁ ବୈଠକରେ ଆଲୋଚନା ହୋଇନାହିଁ । ଭିତର ରତ୍ନଭଣ୍ଡାର ଦୁର୍ବଳ ଓ ଖରାପ ଥିବାରୁ ଏଏସଆଇ ସୁପରିଟେଡେଂଟ ଜଣାଇଥିଲେ । ଏଣୁ ଏହାର ମରାମତି ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀଙ୍କ ସହ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ମରାମତି ନେଇ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି ।
