ଟିମ୍ ଇଣ୍ଡିଆକୁ ଝଟକା : ଏକାଧିକ ଖେଳାଳି ଓ କୋଚିଂ ଷ୍ଟାଫ୍ କରୋନା ସଂକ୍ରମିତ
ଅହମ୍ମଦାବାଦ : ଫେବୃଆରୀ ୬ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ଦଳର ୮ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତ ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନ, ଋତୁରାଜ ଗାଏକୱାଡ ଏବଂ ଶ୍ରେୟାସ ଆୟର ଅଛନ୍ତି । କୋଷାଧ୍ୟକ୍ଷ ଅରୁଣ ଧୂମଲଙ୍କ ସୂଚନା ଅନୁସାରେ ଦଳର କିଛି ସପୋର୍ଟ ଷ୍ଟାଫ୍ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପୂରା ଦଳ ଆଇସୋଲେସନରେ ରହିଛି। ବିସିସିଆଇର ଡାକ୍ତରୀ ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ବୋର୍ଡ ସଂକ୍ରମିତ ଖେଳାଳିଙ୍କ ବିକଳ୍ପ ଘୋଷଣା କରିବା ସମ୍ଭାବନା ରହିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଅହମ୍ମଦାବାଦରେ ଅଛି । ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସିରିଜର ତିନୋଟି ଯାକ ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ବିସିସିଆଇ ତାମିଲନାଡୁର ଅଲରାଉଣ୍ଡର ଶାହରୁଖ ଖାନ ଏବଂ ଲେଗ୍ ସ୍ପିନର ସାଇ କିଶୋରଙ୍କୁ ଷ୍ଟାଣ୍ଡବାଇ ଭାବରେ ରଖିଛି। ବର୍ତ୍ତମାନ ଏହି ଉଭୟ ଖେଳାଳି ମୁଖ୍ୟ ଦଳର ଅଂଶ ନୁହଁନ୍ତି । ତେବେ ମୂଳ ଦଳର ଏକାଧିକ ଖେଳାଳି କରୋନା ସଂକ୍ରମିତ ହୋଇଥିବାରୁ ଶାହରୁଖ ଓ ସାଇ କିଶୋରଙ୍କୁ ଦଳରେ ସାମିଲ କରାଯାଇପାରେ। କିଛି ଦିନ ତଳେ ବିସିସିଆଇ ଦ୍ୱାରା ଷ୍ଟାଣ୍ଡବାଇ ଭାବରେ ଏହି ଦୁଇଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଇଥିଲା ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଫେବୃଆରୀ ୬ରେ, ଦ୍ୱିତୀୟ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ ଫେବୃଆରୀ ୧୧ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ଫେବୃଆରୀ ୧୬ରେ, ଦ୍ୱିତୀୟଟି ଫେବୃଆରୀ ୧୮ରେ ଏବଂ ତୃତୀୟଟି ଫେବୃଆରୀ ୨୦ ରେ ଅନୁଷ୍ଠିତ ହେବ । ଏହି ତିନୋଟି ଟି-୨୦ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଯିବା ପରେ ରୋହିତ ଶର୍ମାଙ୍କର ପୂର୍ଣ୍ଣକାଳୀନ ଦିନିକିଆ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ୍ ହେବ । ଅନ୍ୟପଟେ ଟିମ୍ ଇଣ୍ଡିଆ ବିପକ୍ଷ ସୀମିତ ଓଭର ସିରିଜର ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଦଳ ବୁଧବାର ଭାରତରେ ପହଞ୍ଚିଛି ।
