ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ
ଭୁବନେଶ୍ୱର : ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଗୁରୁବାର ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ପୂର୍ବରୁ ଗତ ବୁଧବାର ଶିବ ଜେନାଙ୍କ ପତ୍ନୀ ଓ ତାଙ୍କର ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ । ଏ ସମସ୍ତଙ୍କୁ ଗିରଫ ପରେ କଟକ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ନକଲି ମେଡିସିନ ମାମଲାରେ ବୁଧବାର କଟକରୁ ତିନି ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ମାନେ ହେଲେ ମୁଖ୍ୟ କାର୍ପଟଦାର ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ଅନ୍ୟ ଦୁଇ ଜଣ ହେଲେ ପ୍ରୀତିରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି । ପୂର୍ବରୁ ଗିରଫ ଔଷଧ ବ୍ୟବସାୟୀଙ୍କ ସୂଚନା ମୁତାବକ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା । ମେଡିଲୋୟେଡ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଖୋଲାଯାଇଥିବା ଏହି ଔଷଧ କମ୍ପାନୀରେ ଚାଲିଥିଲା ନକଲି ଔଷଧ ବେପାର । କମ୍ପାନୀର ଏମଡି ଥିଲେ ଶିବ ଜେନା । କଟକରୁ ନକଲି ମେଡିସିନ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ଏସଟିଏଫକୁ ତଦନ୍ତ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଏହି ଘଟଣାରେ ଅଦ୍ୟାବଧି ବାହାର ଦୁଇଟି ରାଜ୍ୟରେ ଡେରା ପକାଇ ତଦନ୍ତ ଜାରି ରଖିଛି ଏସଟିଏଫର ସ୍ୱତନ୍ତ୍ର ଟିମ୍ । ସୂଚନା ଯେ, କଟକର ଏହି କମ୍ପାନି କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିମାକ୍ସ ଭଳି ଏକ ନାମୀ ଓ ଫଳପ୍ରଦ ବ୍ରାଣ୍ଡର ନକଲି ଔଷଧ ସାରା ରାଜ୍ୟରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିଲା । ଔଷଧ ଷ୍ଟ୍ରିପ୍ ପିଛା ୬୫ ଟଙ୍କାରେ କିଣା ହେଉଥିଲା, ଆଉ ଖୋଲା ବଜାରରେ ଅସଲି ଦର ଅର୍ଥାତ୍ ୧୨୯୦ ଟଙ୍କାରେ ବିକ୍ରି ହେଉଥିଲା। ଅର୍ଥାତ ୨୦ ଗୁଣା ଅଧିକ ଦରରେ ବିକି ମାଲାମାଲ୍ ହେଉଥିଲେ ଏହି ନକଲି ଔଷଧ ବେପାରୀ।
