ପାରାଦୀପରେ ନିର୍ମାଣ ହେବ ଜାହାଜ, ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ଜାହାଜ ନିର୍ମାଣର ଶୁଭାରମ୍ଭ
ପାରାଦୀପ: ପାରାଦୀପରେ ନିର୍ମାଣ ହେବ ଜାହାଜ । ପ୍ରଥମ ପର୍ଯ୍ୟାୟରେ ଏକ ପାଇଲଟ୍ ଜାହାଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍ ହାରନାଦ ।
ଏହି ଅବସରରେ ବନ୍ଦର ସ୍ଲିପ୍ ୱେରେ ଏକ ପାଇଲଟ୍ ଜାହାଜର କିଲ୍ ଲେଇଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧବ ସିପିଂ ଅଫସୋର୍ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନି ଟେଣ୍ଡର ମାଧ୍ୟମରେ ଏହି ଜାହାଜ ନିର୍ମାଣ କାମ ହାତକୁ ନେଇଛି । ୩୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସ୍ଲିପ୍ ୱେରେ କେବଳ ଛୋଟ ଛୋଟ ଲଞ୍ଚର ମରାମତି ହେଉଥିଲା । ମାତ୍ର ଲଞ୍ଚ୍ ମରାମତି ଛଡ଼ା ସାଧବ ସିପିଂ କମ୍ପାନୀ ଏବେଠାରୁ ଜାହାଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇ କମ୍ପାନୀ ବିଶ୍ୱସ୍ତରୀୟ ଜାହାଜ ନିର୍ମାଣ କରିବାକୁ ଯୋଜନା ରଖିଛି । ଓଡ଼ିଶାରେ ସାମୁଦ୍ରିକ ପରମ୍ପରା ବହୁ ପୁରାତନ ହୋଇଥିବାବେଳେ ଜାହାଜ ନିର୍ମାଣ ଓ ମରାମତି କାମର ଆରମ୍ଭ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ । କେବଳ ସେତିକି ନୁହେଁ, ଏଥିସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନିର ନିଦେ୍ର୍ଧଶକ ଦେବାହୁତି ଚୌଧୁରୀ କହିଛନ୍ତି । ଗୋଟିଏ ପାଇଲଟ୍ ଜାହାଜର ଲମ୍ବ ୨୦ରୁ ୩୦ ମିଟର ମଧ୍ୟରେ ହେବ । ଏଥିରେ ୧୨ ଶହରୁ ୧୮ ଶହ ହର୍ସପାୱାର ଇଞ୍ଜିନ ଲାଗିବ । ସେହିପରି ଶୀତତାପ କୋଠରୀ ରହିବ । ଏହାର ନିର୍ମାଣ ପାଇଁ ୩ରୁ ୬ କୋଟି ଟଙ୍କା ମଧ୍ୟରେ ରହିବ । ଆଗକୁ ଗ୍ରାହକଙ୍କ ଚାହିଦା ଅନୁସାରେ ବଡ଼ ବଡ଼ ଜାହାଜର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
