‘ସଂସଦ ଟିଭି ସୋ’ ଛାଡ଼ିଲେ ଶଶୀ ଥରୁର୍
ନୂଆଦିଲ୍ଲୀ : ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୧୨ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଆଜି କଂଗ୍ରେସର ଲୋକସଭା ସାଂସଦ ଶଶୀ ଥରୁର୍ ‘ସଂସଦ ଟିଭିର ଟଅକ୍ ସୋ’ର ଉପସ୍ଥାପକ ପଦର ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ କରିଥିବା ଟୁଇଟ୍ ପୋଷ୍ଟ୍ରେ ଶଶୀ ଥରୁର୍ କହିଛନ୍ତି, ‘ସଂସଦ ଟିଭି’ର ‘ଟଅକ୍ ସୋ’ ‘ଟୁ ଦି ପଏଣ୍ଟ୍’ରୁ ସେ ଇସ୍ତଫା ଦେଇଛନ୍ତି। ଭାରତୀୟ ସଂସଦୀୟ ଗଣତନ୍ତ୍ରର ସର୍ବୋତ୍ତମ ପରମ୍ପରା ଧାରାରେ ଉକ୍ତ ‘ସୋ’ର ଉପସ୍ଥାପକ ହେବା ପାଇଁ ‘ସଂସଦ ଟିଭି’ର ଆମନ୍ତ୍ରଣ ରକ୍ଷା କରିଥିଲି ବୋଲି ମୋର ମନେହୋଇଥିଲା। ଏହାଦ୍ବାରା, ଜଣେ ସାଂସଦ ଭାବେ ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟି ସଂସଦୀୟ ପ୍ରତିଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ଅଂଶ ଗ୍ରହଣ କରିବାରେ ଆମ ରାଜନୈତିକ ମତପାର୍ଥକ୍ୟ ଅନ୍ତରାୟ ସୃଷ୍ଟି କରେନାହିଁ ବୋଲି ଥିବା ନୀତି ସୁନିଶ୍ଚିତ ହୋଇଥିଲା। କିନ୍ତୁ, ରାଜ୍ୟସଭାର ୧୨ଜଣ ସାଂସଦଙ୍କ ଦୀର୍ଘ ନିଲମ୍ବନ ଯୋଗୁଁ ସେଥି ପ୍ରତି ମୋର ସନ୍ଦେହ ଜାତ ହୋଇଛି।
