ସେନ ୱର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କଲା ଥାଇଲାଣ୍ଡ ପୋଲିସ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ମହାନ ସ୍ପିନର ସେନ ୱର୍ଣ୍ଣଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଛି ଥାଇଲାଣ୍ଡ ପୋଲିସ । ସୋମବାର ଥାଇଲାଣ୍ଡ ପୋଲିସ ସେନ ୱର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିଛି । ୱର୍ଣ୍ଣଙ୍କ ମୃତ୍ୟୁ ସ୍ୱାଭାବିକ ହୋଇଥିବା କହିଛି ଥାଇଲାଣ୍ଡ ପୋଲିସ ।
ସମାଚାର ଏଜେନ୍ସି ରୟଟର୍ସ ମୁତାବକ, ପୋଲିସର ପୋଷ୍ଟମର୍ଟମ ରିପୋର୍ଟରେ ୱର୍ଣ୍ଣଙ୍କ ମୃତ୍ୟୁ ସ୍ୱାଭାଭିକ ଥିବା ଉଲ୍ଲେଖ ରହିଛି । ତାଙ୍କ ମୃତ୍ୟୁରେ କୌଣସି ସନ୍ଦିଗ୍ଧ ନଥିବା କୁହାଯାଇଛି । ଶୀଘ୍ର ଏହି ମାମଲାରେ ଓକିଲଙ୍କ ଆଲୋଚନା କରାଯିବ ବୋଲି ଥାଇଲାଣ୍ଡ ପୋଲିସ କହିଛି । ୫୨ ବର୍ଷୀୟ ସେନ ୱର୍ଣ୍ଣ ଛୁଟି କଟାଇବାକୁ ଥାଇଲାଣ୍ଡ ଯାଇଥିଲେ । ମାର୍ଚ୍ଚ ୪ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ କଠୋରୀରୁ ତାଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା । ପ୍ରାରମ୍ଭିକ ତଦନ୍ତରେ ଥାଇଲାଣ୍ଡ ପୋଲିସ ୱର୍ଣ୍ଣ ମୃତ୍ୟୁ ସନ୍ଦିଗ୍ଧ ହୋଇନଥିବା କହିଥିଲା । ତଥାପି ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ପୋଲିସ ୱର୍ଣ୍ଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚୁରା କରିଥିଲା । ଏହା ପୂର୍ବରୁ ସେନ ୱର୍ଣ୍ଣଙ୍କ ମ୍ୟାନେଜର ଜେମ୍ସ ଏର୍ସକିନେ ଖୁଲାସା କରିଥିଲେ ଯେ, ଏହି ମହାନ ସ୍ପିନର ଦୁଇ ସପ୍ତାହ ପୂର୍ବରୁ ତରଳ ଆହାର ଗ୍ରହଣ କରୁଥିଲେ । କଳା ଏବଂ ସବୁଜ ରଙ୍ଗର ଜୁସ ପିଉଥିଲେ ।
