ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ : ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ୍ ବିଜୟୀ
ଡୁନେଡିନ୍ : ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ସୋମବାର ପ୍ରତିଯୋଗିତାର ପଞ୍ଚମ ମ୍ୟାଚ୍ଟି ବର୍ଷା ଦ୍ୱାରା ବାଧାପ୍ରାପ୍ତ ହୋଇଥିଲେ ହେଁ ଶେଷରେ ଆୟୋଜକ ନ୍ୟୁଜିଲାଣ୍ଡ୍ ତା’ର ପ୍ରଥମ ବିଜୟ ହାସଲ କରିଛି। ଦଳ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ତା’ର ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିଲେ ହେଁ ସୋମବାର ବାଂଲାଦେଶକୁ ୯ ୱିକେଟ୍ରେ ପରାସ୍ତ କରି ସହଜ ବିଜୟ ପାଇଛି। ଦଳର ଏହି ବିଜୟରେ ତାରକା ଓପନର ସୁଜି ବେଟ୍ସ ଅପରାଜିତ ୭୯ ରନ୍ କରିବା ସହ ଦ୍ୱିତୀୟ ୱିକେଟ୍ରେ ଅବିଭାଜିତ ୧୦୮ ରନ୍ ଯୋଡ଼ି ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ତେଣୁ ତାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।
ବର୍ଷା କାରଣରୁ ସ୍ଥାନୀୟ ସମୟ ୧୧ଟା ପରିବର୍ତ୍ତେ ମ୍ୟାଚ୍ଟି ଅପରାହ୍ଣ ୩ଟା ବେଳେ ଆରମ୍ଭ ହୋଇଥିଲା। ଦୀର୍ଘ ୪ ଘଣ୍ଟା ବିଳମ୍ବରେ ଖେଳାଯିବାରୁ ମ୍ୟାଚ୍ରେ ଓଭର୍ ସଂଖ୍ୟାକୁ ୨୭କୁ ହ୍ରାସ କରାଯାଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶ ୮ ୱିକେଟ୍ ବିନିମୟରେ ୧୪୦ ରନ୍ କରିଥିଲା। ଦଳ ପକ୍ଷରୁ ଫର୍ଜାନା ହକ୍ ୬୩ ବଲ୍ ଖେଳି ସର୍ବାଧିକ ୫୨ ରନ୍ କରିବା ସହ ଓପନିଂ ଯୋଡ଼ିରେ ଶମିମା ସୁଲତାନାଙ୍କ ସହ ୩୩ ରନ୍ ଯୋଡ଼ିଥିଲେ। ସୁଲତାନା ୪ଟି ଚୌକା ସହ ୩୩ ରନ୍ର ଅବଦାନ ଦେଇଥିବା ବେଳେ ଶୋଭନା ମୋସ୍ତାରି ଓ ଅଧିନାୟିକା ନିଗାର୍ ସୁଲାତାନା ଅନ୍ୟତମ ବ୍ୟାଟ୍ସଓମ୍ୟାନ୍ ଭାବେ ଦୁଇ ଅଙ୍କରେ ପହଞ୍ଚିଥିଲେ।
ନ୍ୟୁଜିଲାଣ୍ଡ୍ ପକ୍ଷରୁ ଆମି ସାତରଥ୍ୱେଟ୍ ୩ଟି ଏବଂ ହେଲି ଜାନସନ୍ ଓ ଫ୍ରାନ୍ସେସ୍ ମ୍ୟାକ୍କେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଦଳ ଓପନର ତଥା ଅଧିନାୟିକା ସୋଫି ଡିଭାଇନ୍ (୧୪)ଙ୍କୁ ସଅଳ ହରାଇଥିଲେ ହେଁ ବେଟ୍ସ ଓ ଆମେଲିଆ କେରଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗୀଦାରୀ ବଳରେ ନ୍ୟୁଜିଲାଣ୍ଡ ୨୦ ଓଭର୍ରେ ୧୪୪ ରନ୍ରେ ପହଞ୍ଚିଯାଇଥିଲା। ବେଟ୍ସ ୮ଟି ଚୌକା ମାଧ୍ୟମରେ ୭୯ ଓ କେର୍ ୫ଟି ଚୌକା ଜରିଆରେ ୪୭ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ଏକମାତ୍ର ୱିକେଟ୍ଟି ସଲମା ଖାତୁନ୍ଙ୍କୁ ମିଳିଥିଲା। ଟୁର୍ଣ୍ଣାମେଣ୍ଟ୍ରେ ମଙ୍ଗଳବାର ଷଷ୍ଠ ମ୍ୟାଚ୍ରେ ମାଉଣ୍ଟ୍ ମାଉଙ୍ଗାନୁଇଠାରେ ଅଷ୍ଟ୍ରେଲିଆ ସହ ପାକିସ୍ତାନର ମୁକାବିଲା ହେବ।
