କାନାଡାରେ ସିରିଜ୍ ଛୁରାମାଡ଼ : ୧୦ ମୃତ ଓ ୧୫ ଗୁରୁତର
ଦୁଇ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ
ଟରୋଣ୍ଟୋ : କାନାଡାର ସସ୍କାଚୱାନ ପ୍ରଦେଶରେ ଏକ ବଡ଼ ଆକ୍ରମଣ ହୋଇଛି । ୧୩ଟି ସ୍ଥାନରେ ଛୁରୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଜେମ୍ସ ସ୍ମିଥ କ୍ରି ନେସନ ଓ ୱେଲଡନ ଅଞ୍ଚଳରେ ଘଟିଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି । ସେମାନଙ୍କ ସନ୍ଧାନରେ ଚଢ଼ାଉ କରାଯାଉଛି । ଏହି ଦୁଇ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ କାନାଡା ପୋଲିସ ଜାରି କରିଛି ।
ଯେଉଁ ସନ୍ଦିଗ୍ଧମାନଙ୍କ ଫଟୋ ଜାରି କରାଯାଇଛି ସେମାନଙ୍କ ମଧ୍ୟରେ ଡାମିନ୍ ସାଣ୍ଡରସନ ଓ ମାଇଲସ୍ ସାଣ୍ଡରସନ ଅଛନ୍ତି । ଏକ କଳା କାରରେ ବୁଲୁଥିବା ବେଳେ ଦୁହେଁ ଏହି ଅପରାଧ ଘଟାଇଛନ୍ତି । ରୟାଲ କାନାଡିୟ ମାଉଣ୍ଟେଡ ପୋଲିସର ସହକାରୀ କମିଶନର ରୋଣ୍ଡା ବ୍ଲାକ୍ମୋର କହିଛନ୍ତି ଯେ, ପ୍ରଥମ ଘଟଣାର ସୂଚନା ସ୍ଥାନୀୟ ସମୟ ସକାଳ ୫:୪୦ ସମୟରେ ମିଳିଥିଲା । ସସ୍କାଚୱାନର ଅତି କମରେ ୧୩ଟି ସ୍ଥାନରେ ପୀଡିତଙ୍କୁ ଦେଖିବାକୁ ମିଳିଛି ।
ନିକଟ ଅତୀତରେ ଘଟିଥିବା ଏହା ହେଉଛି ସବୁଠାରୁ ବଡ଼ ଘଟଣା ବୋଲି ପୋଲିସ କମିଶନର ରୋଣ୍ଡା ବ୍ଲାକ୍ମୋର କହିଛନ୍ତି । ରବିବାର ହିଂସା ଯୋଗୁଁ ସିଭିଲ୍ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଉଭୟ ସନ୍ଦିଗ୍ଧଙ୍କୁ ଏକ ବାର୍ତ୍ତାରେ ବ୍ଲାକ୍ମୋର କହିଛନ୍ତି ଯେ, ଯଦି ଡାମିଆନ୍ ଓ ମାଇଲସ୍ ସୂଚନା ଶୁଣୁଛନ୍ତି କିମ୍ବା ସୂଚନା ପାଉଛନ୍ତି, ତେବେ ସେମାନେ ତୁରନ୍ତ ପୋଲିସ ଆଗରେ ଆତ୍ମସମର୍ପଣ କରିବା ଉଚିତ୍ । ତେଣୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘଟଣାକୁ ଭୟାବହ ବୋଲି ବର୍ଣ୍ଣନା କରିଛନ୍ତି ।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଟ୍ୱିଟ୍ କରି ଛୁରାମାଡ଼ର ଏହି ଘଟଣାକୁ ଭୟାବହ ଓ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି । ମୃତ ତଥା ପରିବାର ସଦସ୍ୟଙ୍କ ପ୍ରତି ମଧ୍ୟ ସମବେଦନା ଜଣାଯାଇଛନ୍ତି । ଜଷ୍ଟିନ ଟ୍ରୁଡୋ ଲେଖିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଓ ସମସ୍ତଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅପଡେଟ୍ ଅନୁସରଣ କରିବାକୁ ଅନୁରୋଧ କରୁଛୁ ।
