ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲି ଗୀଲାନୀଙ୍କ ଦେହାନ୍ତ
ଶ୍ରୀନଗର : କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲୀ ଶାହ ଗିଲାନୀଙ୍କ ଦେହାନ୍ତ । ବୁଧବାର ରାତି ପ୍ରାୟ ୧୦ଟା ୩୫ ମିନିଟ ସମୟରେ ଶ୍ରୀନଗର ଅନ୍ତର୍ଗତ ହାଇଦରପଡ଼ା ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୯୧ ବର୍ଷ ବୟସରେ ଉପନୀତ ହୋଇଥିଲେ। ତାଙ୍କ ପରିବାରରେ ତାଙ୍କର ଦୁଇ ପୁଅ ଏବଂ ୬ ଝିଅ ଅଛନ୍ତି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ୧୯୬୮ ମସିହାରେ ଦ୍ୱିତୀୟ ବିବାହ କରିଥିଲେ। ବିଚ୍ଛିନ୍ନତାବାଦୀ ନେତା ଗୀଲାନୀ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କିଡନୀ ରୋଗରେ ପୀଡିତ ଥିଲେ। ଏହା ବ୍ୟତୀତ ସେ ବାର୍ଦ୍ଧକ୍ୟ ସହ ଜଡିତ ଅନ୍ୟାନ୍ୟ ରୋଗ ସହ ମଧ୍ୟ ଲଢେଇ କରୁଥିଲେ।
ଗତ ଅଳ୍ପ କିଛି ବର୍ଷ ହେବ ଅସୁସ୍ଥତା ହେତୁ ସେ ସର୍ବସାଧାରଣରେ ଦେଖା ଦେଉ ନ ଥିଲେ। ତାଙ୍କୁ ଶ୍ରୀନଗରର ହାଇଦରପଡ଼ାରେ କବର ଦେବା ପାଇଁ ତାଙ୍କ ପରିବାରବର୍ଗ ଚାହୁଁଛନ୍ତି। ଦୁଇଟି ପୁଅ ଓ ଗୋଟିଏ ଝିଅକୁ ମିଶାଇ ତାଙ୍କର ତିନିଜଣ ସନ୍ତାନସନ୍ତତି ଅଛନ୍ତି। ଗିଲାନୀଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ କଶ୍ମୀରରେ ନିରାପତ୍ତା କଟକଣା କଠୋର କରାଯାଇଛି ବୋଲି ବାସିନ୍ଦାମାନେ କହୁଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଆମେ ହୁଏତ ତାଙ୍କର ଅଧିକାଂଶ ବିଷୟ ଉପରେ ସହମତ ହୋଇନାହୁଁ, କିନ୍ତୁ ମୁଁ ତାଙ୍କର ଦୃଢ଼ତା ଏବଂ ବିଶ୍ୱାସ ସହିତ ଛିଡ଼ା ହେବା ଲାଗି ତାଙ୍କର ସମ୍ମାନ କରେ । ତାଙ୍କ ପରିବାରକୁ ଦୁଃଖ ସହିବାର ଶକ୍ତି ମିଳୁ ।’ ସେହିପରି, ପିପୁଲ୍ସ କନଫରେନ୍ସ ସଭାପତି ସାଜଜାଦ ଲୋନ ମଧ୍ୟ ଗୀଲାନୀଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଗୀଲାନୀଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସୂଚନା ଯେ, ୧୯୨୯, ସେପ୍ଟେମ୍ବର ୨୯ରେ ଜନ୍ମିତ ସୈୟଦ୍ ଅଲି ଶାହ ଗିଲାନୀ ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଥିଲେ ଜଣେ କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା। ପୂର୍ବରୁ ସେ ‘ଜମାତ୍-ଏ-ଇସ୍ଲାମୀ କଶ୍ମୀର’ର ସଦସ୍ୟ ଥିଲେ ଏବଂ ପରେ ଜମ୍ମୁ ଓ କଶ୍ମୀରରେ ବିଚ୍ଛିନ୍ନତାବାଦୀ ସମର୍ଥକମାନଙ୍କୁ ଏକତ୍ର କରି ‘ତେହ୍ରିକ୍-ଏ-ହୁରିୟତ୍’ ନାମରେ ଗୋଟାଏ ସଙ୍ଗଠନ ସ୍ଥାପନ କରିଥିଲେ। ୨୦୨୦ ଜୁନ୍ରେ ସେ ‘ହୁରିୟତ୍’ ପରିତ୍ୟାଗ କରିଥିଲେ। ଏହା ବ୍ୟତିରେକେ, ୧୯୭୨, ୧୯୭୭ ଏବଂ ୧୯୮୭ରେ ସେ ଜମ୍ମୁ ଓ କଶ୍ମୀରର ସୋପୋର୍ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ରେ ଗିଲାନିଙ୍କୁ ବିଦ୍ରୋହୀ ସାବ୍ୟସ୍ତ କରାଯିବା ହେତୁ ସେବେଠାରୁ ଅଧିକାଂଶ ସମୟ ସେ ଗୃହବନ୍ଦୀ ଭାବେ ରହିଥିଲେ। ଜମ୍ମୁ ଓ କଶ୍ମୀର ପାଇଁ ଗିଲାନୀ ‘ରେଫରେଣ୍ଡମ୍’ (ପ୍ରତ୍ୟକ୍ଷ ଭୋଟ୍) ଏବଂ କଶ୍ମୀର ସମସ୍ୟା ପାଇଁ ଶାନ୍ତିପୂର୍ଣ୍ଣ ପ୍ରସ୍ତାବନା ଲାଗି ଦାବି କରୁଥିଲେ। କିନ୍ତୁ, ସଦାସର୍ବଦା ସେ ଆତଙ୍କବାଦୀଙ୍କୁ ପ୍ରଶଂସା କରୁଥିବାରୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଆର୍ଥିକ ଦୁର୍ନୀତି ସଂକ୍ରାନ୍ତ ମାମଲାଗୁଡ଼ିକରେ ତାଙ୍କର ନାଁ ଦେଖିବାକୁ ମିଳୁଥିଲା। ୨୦୨୦ରେ ସୈୟଦ୍ ଅଲି ଶାହ ଗିଲାନୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନିଶାନ୍-ଏ-ପାକିସ୍ତାନ’ରେ ଭୂଷିତ କରାଯାଇଥିଲା।
