୧୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର : ଆସନ୍ତା ୧୧ ତାରିଖ ସୁଦ୍ଧା ଉତର ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ପ୍ରବଳ ବର୍ଷା ହୋଇପାରେ । ଅପରପକ୍ଷରେ ବଙ୍ଗୋପସାଗରର ଉତ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତମାନ ସ୍ପଷ୍ଟ ଚିହ୍ନିତ ହେବା ସହ ଦକ୍ଷିଣ ଓଡ଼ିିଶା ଏବଂ ପଡ଼ୋଶୀ ଦକ୍ଷିଣ ଛତିଶଗଡ଼ ଉପରେ ବିସ୍ତାରିତ ହୋଇ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
ଆସନ୍ତା ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓ ଉତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ନୁଆପଡ଼ା, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ, ବଙ୍ଗୋପସାଗରର ଉତର ଉପକୂଳରେ ଘଂଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଉପକୂଳବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର କୂଳରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଂଟା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
