ଚିରନିଦ୍ରାରେ ବରିଷ୍ଠ ଆଇଏଏସ ସରୋଜ ସେଠୀଙ୍କ ପିତା ଗୁରୁପ୍ରସାଦ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶେଷଦର୍ଶନ
ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ମାଟିର ବରିଷ୍ଠ ଆଇଏଏସ ସରୋଜ କୁମାର ସେଠୀଙ୍କ ପିତା ଗୁରୁପ୍ରସାଦ ସେଠୀଙ୍କ ୯୪ବର୍ଷ ବୟସରେ ସୋମବାର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରାଜ୍ୟ ଯୁବବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ମରଶରୀର ନିକଟରେ ପହଂଚି ଶେଷ ଦର୍ଶନ କରିଥିଲେ। ନୀଳଗିରି ନବଯୌବନ ଭଜନସନ୍ଧ୍ୟା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ତାଙ୍କ ମରଶରୀର ନିକଟରେ ପରିବାରର ସମସ୍ତ ସଦସ୍ୟ, ୪ପୁଅ ଓ ଏକମାତ୍ର ଝିଅ ଉପସ୍ଥିତ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାରରେ ପୁତ୍ର ସୁବୋଧ ମୁଖାଗ୍ନି ଦେଇଥିଲେ। ସେ ଅଞ୍ଚଳରେ ଜଣେ ସହୃଦୟ ବ୍ୟକ୍ତି ଭାବରେ ସବୁବର୍ଗର ଲୋକମାନଙ୍କ ପାଖରେ ଠିଆ ହୋଇପାରିଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ ତଥା ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଗାଁ ତେନ୍ତୁଳିଆ ଠାରେ ୧୭.୧୧.୧୯୨୯ ମସିହାରେ ଏକ ଗରିବ ପରିବାରରେ ଗୁରୁପ୍ରସାଦ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ଅତି ଦୁଃଖକଷ୍ଟରେ ଜୀବନ ଅତିବାହିତ କରିବା ସହିତ ପାଠ ପଢ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ପରେ ପତ୍ନୀ ରାହାସମଣିଙ୍କ ହାତଧରିବା ସହିତ ତାଙ୍କ ଔରସରୁ ୫ଗୋଟି ସନ୍ତାନର ଜନକ ହୋଇଥିଲେ। ମାତ୍ର ଜଣେ ଶିକ୍ଷକ ଭାବରେ ତାଙ୍କ ପିଲାମାନଙ୍କୁ ପାଠପଢା ସହିତ ସଂସ୍କାର ପ୍ରଦାନ କରିବାରେ ଅବହେଳା କରି ନଥିଲେ। ସେଥିପାଇଁ ବଡ଼ପୁଅ ସନ୍ତୋଷ କୁମାର ସେଠୀ ଜଣେ ପ୍ରଫେସର ଭାବେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପରବର୍ତ୍ତୀ ପୁତ୍ର ସରୋଜ ସେଠୀ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଭାବେ ଇଡକୋର ଚିଫ ଜେନେରାଲ ମ୍ୟାନେଜର (ଭୂମି)ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ପରବର୍ତ୍ତୀ ପୁତ୍ର ସୁବୋଧ ଗାଁରେ ରହି ବାପା ମାଙ୍କ ସେବା କରିବା ସହିତ ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି। ସାନପୁଅ ସୁଶାନ୍ତ ଜଣେ ଗେଷ୍ଟ୍ରୋଲୋଜି ଡାକ୍ତର ଭାବରେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଏକମାତ୍ର ଝିଅ ସୁକାନ୍ତି ମଧ୍ୟ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଗତ ରବିବାର ରାତ୍ର ପ୍ରାୟ ୩ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଜଣେ ଛାତ୍ରବତ୍ସଳ ଏବଂ ଉତ୍ତମ ଚରିତ୍ରବାନ ଶିକ୍ଷକ ଭାବରେ ସେ ରାଜ୍ୟପାଳ ପୁରସ୍କାର ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ।
