ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଆଲୋଚନାଚକ୍ର
କଟକ : ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ୱୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର ବିଡାନାସୀସ୍ଥିତ ଶ୍ରୀ ଚହଟେଶ୍ୱରଙ୍କ ପୀଠରେ ସଂଗଠନର ସଭାପତି ସାହିତ୍ୟିକ ଦୁଃଖିଶ୍ୟାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଣ୍ଡିତ ଦିଲ୍ଲିପ କୁମାର ସାବତ ବେଦ ପାଠ କରିଥିଲେ । ସଂପାଦକ ଆଇନଜୀବୀ ଦେବେନ୍ଦ୍ର କୁମାର ପରିଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରକାଶନ ସଂପାଦକ ଇଂ ଅବିନାଶ ପରିଡା ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ମର୍ମସ୍ପର୍ଶୀ ପ୍ରବନ୍ଧ ପାଠ କରିଥିଲେ । ପଣ୍ଡିତ ରଥ ଦେଶ ସେବା ଓ ସାହିତ୍ୟ ସେବା ତଥା ସମାଜ ଗଠନ ଲାଗି ବିପ୍ଳବମାନ ଗଢିତୋଳିଥିଲେ । ପ୍ୟାରୀମୋହନ ଏକାଡେମୀ ପ୍ରତିଷ୍ଠା ସହ ଉତ୍କଳ ପୁତ୍ର ନାମକ ପତ୍ରିକାର ସଂପାଦନା କରି ସେ ବିପ୍ଳବର ବାର୍ତ୍ତା ଦେଇଥିଲେ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ । ପଣ୍ଡିତ ରଥ ସର୍ବପ୍ରଥମେ ବର୍ଣ୍ଣବୋଧକ ରଚନା କରିଥିଲେ । ତାଙ୍କ ରଚନାବଳୀ ମଧ୍ୟରେ କବିତା ମଂଜରୀ, କବିତା କଳାପ, ଫିଉଚର ସାହେବ, ଘୋଡାଡିମ୍ବ ଓ କଟକ ନଗରୀ ଆଦି ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ପ୍ରଫେସର ଦୁର୍ଗାପ୍ରସନ୍ନ ନନ୍ଦ, ପ୍ରଫୁଲ୍ଲ ସାହୁ, କବୀର ଜେନା, ଆଲୋକ ପଣ୍ଡା, ନରେନ୍ଦ୍ର ରଥ, ସୈାମ୍ୟସାରଥି ଦାସ, ଅଶୋକ ବାରିକ, ସନ୍ତୋଷ ଦାସ ଓ ସୁରେଶ କାମାନୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ନିବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆଶୁତୋଶ ଦାସ, ସସ୍ମିତା ଜେନା, ରଶ୍ମିରେଖା ଦାସ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଆଇନଜୀବୀ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।
