ଜେଲ୍ ନା ଜାମିନ୍ ଶୀର୍ଷକ ଆଲୋଚନାଚକ୍ର
କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ୩୫୮ତମ ପାଠଚକ୍ର ପ୍ରଜାତନ୍ତ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତୀ ଜଷ୍ଟିସ ଏ.ଏସ୍. ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜଘନ୍ୟ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ବ୍ୟତୀତ ଅଧିକାଂଶ ଅପରାଧରେ ପୋଲିସ ଚାହିଁଲେ ଗିରଫ କରିବା ବଦଳରେ ନୋଟିସ୍ ଦେଇ ପାରିବା ନିମନ୍ତେ ଆଇନର ବ୍ୟବସ୍ଥା ଥିଲେ ମଧ୍ୟ କ୍ଷମତାକୁ ଅପବ୍ୟବହାର କରି ପୋଲିସ ଅଯଥାରେ ଗିରଫ କରି କୋର୍ଟ ପଠାଇଥିବାରୁ ଅନେକେ ଜେଲ୍ ଭୋଗୁଛନ୍ତି । ଆଦିବାସୀ, ସଂଖ୍ୟାଲଘୁ, ହରିଜନ ଓ ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିବିଶେଷଙ୍କ ଆର୍ôଥକ ଦୁଃସ୍ଥିତି ଯୋଗୁଁ ତାଡ଼ନାର ଶିକାର ହେଉଛନ୍ତି । କେତେକ ସ୍ଥଳରେ ଆର୍ଥିକ ଅନାଟନ ଯୋଗୁଁ ନ୍ୟାୟ ପାଇବାରେ ବାଧକ ହେଉଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଓ.ପି.ଏସ୍.ସି. ଅଧ୍ୟକ୍ଷ ତଥା ବରିଷ୍ଠ ପୋଲିସ ପ୍ରଶାସକ ଡ଼ଃ ସତ୍ୟଜିତ୍ ମହାନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଗୁରୁ ମହାନ୍ତି ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ସଂଯୋଜକ ଡ଼ାକ୍ତର ରବି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
