ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସମ୍ବଲପୁର : ଆଜି ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବୁଧବାର ବାଇକ ରାଲି ବେଳେ ହିଂସାକାଣ୍ଡ ଘଟିଥିବା ଘଟଣାକୁ ନେଇ ସଜାଗ ରହିଛି ପୋଲିସ ପ୍ରଶାସନ । ପୋଲିସ ଛାଉଣିରେ ପରିଣତ ହୋଇଛି ସମ୍ବଲପୁର ସହର ।
ସ୍ଥିତି ନିୟନ୍ତ୍ରଣ ପାଇଁ ସମଗ୍ର ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଲୋକଙ୍କ ଭରସା ଜିତିବା ପାଇଁ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଶୋଭାଯାତ୍ରା ଠିକ୍ ସମୟରେ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଅନନ୍ୟା ଦାସ ସ୍ପଷ୍ଟ କରିଛନ୍ତି। ହନୁମାନ ଜୟନ୍ତୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଗତକାଲି ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
