ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ୩୬ ଘଣ୍ଟା ମଧ୍ୟରେ ଏନ୍କାଉଂଟରରେ ୫ ଆତଙ୍କୀ ନିହତ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଗତ ୩୬ ଘଂଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ସଫା କରିସାରିଲେଣି ଯବାନ । ଶନିବାର ସନ୍ଧ୍ୟାରେ ଅବନ୍ତିପୋରାର ତ୍ରାଲ ଅଂଚଳରେ ଭାରତୀୟ ସେନା ଏନ୍କାଉଂଟର କରିଛି । ଯେଉଁଥିରେ ୨ ଜଣ ଆରଙ୍କବାଦୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ଶନିବାର ସକାଳେ ମଧ୍ୟ ଶୋପିଆନ୍ ଅଂଚଳରେ ମଧ୍ୟ ଏନକାଉଂଟର କରି ଲସ୍କର-ଏ-ତୋଏବାର ୨ ଜଣ ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ସେନା । ସେହିଭଳି ଶୁକ୍ରବାର ଅନନ୍ତନାଗରେ ହୋଇଥିବା ଏନ୍କାଉଂଟରରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ସଫା କରିବାରେ ସକ୍ଷମ ହୋଇଥିଲେ । କେବଳ ସେତିକି ନୁହେଁ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଅବନ୍ତିପୋରାରେ ହୋଇଥିବା ଏନ୍କାଉଂଟରର କିଛି ଘଂଟା ପୂର୍ବରୁ ଶୋପିଆନ୍ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ । ପୋଲିସର ଜଣେ ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶୋପିଆନ୍ର ଚୌଗାମ୍ ଅଂଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇ ଥିଲା । ଏହି ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ନିହତ ହୋଇଥିବା ଆତଙ୍କୀ ପ୍ରକୃତରେ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ଅନନ୍ତନାଗ ରେ ହୋଇଥିବା ଏନ୍କାଉଂଟରେ ହିଜ୍ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।
