କେନ୍ଦ୍ରାପଡାରେ ୧୪୪ ଧାରା
- ରଣପଡ଼ାରେ ପୋଲିସ ଛାଉଣି, ଛକଛକରେ ଗାଡ଼ି ଯାଞ୍ଚ
କେନ୍ଦ୍ରାପଡା : କେନ୍ଦ୍ରାପଡା ମ୍ୟୁନିସିପାଲଟି ଓ ୪ଟି ପଞ୍ଚାୟତରେ ୧୪୪ ଧାରା ଜାରି । ହାଇଦରର ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କାରେ ପ୍ରଶାସନର ପଦକ୍ଷେପ । ୩୦ ତାରିଖ ଯାଏଁ ବଳବତ୍ତର ରହିବ ଧାରା ୧୪୪ । କେନ୍ଦ୍ରାପଡା ମ୍ୟୁନିସପାଲିଟି, ବାରିମୂଳ, କପାଳେଶ୍ବର, ଗୁଲନଗର, ଜାମଧର ପଂଚାୟତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ (୨) ଧାରା ଜାରି କରାଯାଇଛି। ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରି ଦୋକାନ ସକାଳ ୭ରୁ ଦିନ ୧୧ଯାଏ ଖୋଲା ରହିବ। ହୋଟେଲରେ ପାର୍ସଲ ସେବା ଅନୁମତି ରହିବ। କିନ୍ତୁ ଅନ୍ୟ ଦୋକାନ ବନ୍ଦ ରହିବ ସହିତ ଗାଡି ଚଳାଚଳରେ କଟକଣା ରହିବ। ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି। ହାଇଦର ଏନକାଉଣ୍ଟର ପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାଂପ୍ରଦାୟିକ ଗଣ୍ଡଗୋଳ ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଇଛନ୍ତି।
କେନ୍ଦ୍ରାପଡ଼ା ପୌରାଞ୍ଚଳ ସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ରଣପଡ଼ା ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ଅନ୍ୟପଟେ ଦୁହୁରିଆ, ତିନିମୁହାଣି, ଗରାପୁର ଆଦି ଅଞ୍ଚଳରେ ପୁଲିସ ଜୋରଦାର ଗାଡ଼ି ଯାଞ୍ଚ ଚଳାଇଛି। ସହରର ଏ ସମସ୍ତ ପ୍ରବେଶ ପଥରେ କାର୍ ସମେତ ଅନ୍ୟାନ୍ୟ ଗାଡ଼ି ଯାଞ୍ଚ କରାଯାଉଛି। ଜିଲ୍ଲାର ସବୁ ଥାନା ଅଧିକାରୀମାନେ ଏଠାରେ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଛକ ଛକରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳ ଉପରେ ପୋଲିସ ନଜର ରଖିଛି। ପାଟକୁରା ଥାନା ମୁସଲମାନ ବହୁଳ ତେଣ୍ଡାକୁଡ଼ା ଅଞ୍ଚଳରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
