ଦ୍ୱିତୀୟ ଟେଷ୍ଟ: ପ୍ରଥମ ପାଳିରେ ଶ୍ରୀଲଙ୍କା ୧୦୯ ରନ୍ରେ ଅଲଆଉଟ୍
ବେଙ୍ଗାଲୁରୁ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଚା ପାନ ବିରତି ସୁଦ୍ଧା ଭାରତ ଦ୍ୱିତୀୟ ପାଳିରେ ଗୋଟିଏ ୱିକେଟ୍ ହରାଇ ୬୧ ରନ୍ କରିଛି । ଏହା ପୂର୍ବରୁ ଶ୍ରୀଲଙ୍କା ଗତକାଲିର ସ୍କୋରରେ ମାତ୍ର ୨୩ ରନ୍ ଯୋଡି ୧୦୯ରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଦିନରେ ଭାରତ ୨୫୨ ରନରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଷ୍ଟମ୍ପ୍ସ ସୁଦ୍ଧା ୬ ୱିକେଟ୍ ହରାଇ ୮୬ ରନ୍ କରିଥିଲା ।
ଭାରତ ତରଫରୁ ଜସପ୍ରୀତ୍ ବୁମରା ୨୪ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ । ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଅକ୍ଷର ପଟେଲ ଗୋଟିଏ ୱିକେଟ୍ ପାଇଥିଲେ । ଶ୍ରୀଲଙ୍କାର ତରଫରୁ ପ୍ରଥମ ଇଂନିସରେ ମାଥ୍ୟୁସ୍ ସର୍ବାଧିକ ୪୩ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ଦ୍ୱିତୀୟ ଦିନରେ ୧୦୯ ରନରେ ଅଲଆଉଟ୍ ହେବା ପରେ ଭାରତ, ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍ ହରାଇ ୬୧ ରନ୍ କରିଛି । ମୟଙ୍କ ଅଗ୍ରୱାଲ ୨୨ ରନ୍ ସ୍କୋରେ ଆଉଟ୍ ହୋଇଛନ୍ତି । ତାଙ୍କୁ ଏମ୍ବୁଲଡେନିଆ ଆଉଟ୍ କରିଛନ୍ତି । ରୋହିତ ଶର୍ମା ୩୦ ଓ ହନୁମା ବିହାରୀ ୮ ରନ୍ କରି ଅପରାଜିତ ରହିଛନ୍ତି । ଭାରତ ୨୦୪ ରନରେ ଆଗୁଆ ରହିଛି ।
ଅନ୍ୟପକ୍ଷରେ ମିଡିଆ ରିପୋର୍ଟ ମୁତାବକ, ମ୍ୟାଚ୍ ବେଳେ ରୋହିତ ଶର୍ମା ବିଶ୍ୱା ଫର୍ଣ୍ଣାଣ୍ଡୋଙ୍କ ବଲରେ ଡିପ୍ ମିଡ୍ ୱିକେଟ୍ରେ ଛକା ମାରିଥିଲେ । ତେବେ ଏହି ବଲ୍ଟି ଷ୍ଟାଣ୍ଡରେ ବସିଥିବା ଜଣେ ଦର୍ଶକଙ୍କ ନାକକୁ ଯାଇ ବାଜିଥିଲା । ଏହାପରେ ସେ ଜୋର୍ରେ ପାଟି କରିବାକୁ ଲାଗିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏକ୍ସ-ରେ କରିବା ପରେ ତାଙ୍କ ନାକ ହାଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ବୟସ ୨୨ ବର୍ଷ ତାଙ୍କୁ ହୋସମତ ହସ୍ପିଟାଲରେ ଭର୍ତି କରାଯାଇଥିଲା । କୁହାଯାଉଛି ଯେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇ ଥିଲା । ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏହି ମ୍ୟାଚ୍ର ପ୍ରଥମ ଇନିଂସରେ ରୋହିତ ଶର୍ମା କେବଳ ଗୋଟିଏ ହିଁ ଛକା ମାରିଥିଲା, ଯାହା ଷ୍ଟାଣ୍ଡରେ ଯାଇ ପଡିଥିଲା । ଏହି ଦ୍ୱିତୀୟ ରୋହିତ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ । ଏହି ରନ୍ ରେଟ୍ ତାଙ୍କର ଗୋଟିଏ ୪ ଓ ଗୋଟିଏ ଛକା ଥିଲା ।
