ଦ୍ବିତୀୟ ଟି-୨୦ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଆୟରଲାଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ
ନୂଆଦିଲ୍ଲୀ: ଆଜି ଭାରତ ଓ ଆୟରଲାଣ୍ଡ ଦ୍ବିତୀୟ ଟି-୨୦ ମ୍ୟାଚ । ଭାରତ ଓ ଆୟରଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଡବଲିନରେ ଖେଳାଯିବ। ଏହି ମ୍ୟାଚ୍ରେ ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନି।
ଭାରତ ବନାମ ଆୟରଲାଣ୍ଡ ମଧ୍ୟରେ ଦ୍ଵିତୀୟ ମୁକାବିଲା ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ରେ ଏବଂ ସ୍ଥାନୀୟ ସମୟନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ। ଭାରତୀୟ ପ୍ରଶଂସକ ମ୍ୟାଚର ମଜା ଓଟିଟି ପ୍ଲାଟଫର୍ମ ଜିଓ ସିନେମା, ଟିଭିରେ ଡିଡି ସ୍ପୋର୍ଟ୍ସ ଓ ସ୍ପୋର୍ଟ୍ସ ୧୮ରେ ଉଠାଇ ପାରିବେ।
ଆଜି ଦ୍ଵିତୀୟ ମୁକାବିଲାରେ ପାଣିପାଗ ଭଲ ରହିବ। ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଏମିତିରେ ଦର୍ଶକ ପୂରା ମ୍ୟାଚ୍ର ମଜା ଉଠାଇ ପାରିବେ। ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ। ଘଣ୍ଟା ପ୍ରତି ପବନର ବେଗ ୧୯ କିଲୋମିଟର ରହିବ। ଏହି ସମୟରେ ଆର୍ଦ୍ରତା ୭୦ ପ୍ରତିଶତ ରହିବ। ବର୍ଷା ହେବାର ସମ୍ଭାବନା ମାତ୍ର ୩ ପ୍ରତିଶତ ରହିଛି। ଆକାଶରେ ୨୧ ପ୍ରତିଶତ ବାଦଲ ଛାଇ ରହିବ।
ସୂଚନା ଯେ, ଶୁକ୍ରବାର ରାତିରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍ କୁ ମାତ୍ର ୨ ରନ୍ ରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି। ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ଆଜି ମ୍ୟାଚ୍ ରେ ପାଗର ପ୍ରତିବଂଧକ ନଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି।
ଭାରତୀୟ ଦଳ : ଯଶସ୍ଵୀ ଜୟସଓ୍ଵାଲ, ଋତୁରାଜ ଗାଏକଓ୍ଵାଡ଼, ତିଳକ ବର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରିଙ୍କୁ ସିଂ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ପ୍ରସିଦ୍ଧ କୃଷ୍ଣା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା(ଅଧିନାୟକ), ରବି ବିଷ୍ଣୋଇ।
ଆୟରଲାଣ୍ଡ ଦଳ : ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ, ପଲ୍ ଷ୍ଟିର୍ଲିଂ(ଅଧିନାୟକ), ଲୋରକାନ ଟକ୍କର(ଓ୍ଵିକେଟ୍ କିପର), ହାରି ଟେକ୍ଟର, କର୍ଟିସ ଚାମ୍ପର, ଜର୍ଜ ଡକରେଲ୍, ମାର୍କ ଆଡେର, ବାରି ମାକାର୍ଥି, କ୍ରେଗ୍ ୟୋଙ୍ଗ, ଜସୁଆ ଲିଟିଲ୍, ବେଞ୍ଜାମିନ ହ୍ଵାଇଟ୍।
