ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ! ୧୩ଟି ବୁଥରେ ପୁନଃ ମତଦାନ ନେଇ ଆସିଛି ପ୍ରସ୍ତାବ
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଦୁଇଟି ବୁଥରୁ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି।
ସେହିପରି ଆସନ୍ତା ଶନିବାର ୨୯ ଜିଲାର ୬୩ ବ୍ଲକର ୧୭୧ ଜିଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ। ଏଥିଲାଗି ୬୭୯ ଜଣ ପ୍ରାର୍ଥୀ ଅଛନ୍ତି।ରାଜ୍ୟର ୧୮ ହଜାର ୪୯୫ ୱାର୍ଡରେ ନିର୍ବାଚନ ହେଉଛି। ସେଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ। ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ସୂଚନା ଯେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃ ମତଦାନ ନେଇ ପ୍ରସ୍ତାବ ଆସିଛି। ଏ ସବୁ ଉପରେ ନିର୍ବାଚନ କମିସନ ବିଚାରବିମର୍ଶ କରୁଛନ୍ତି। ନବରଙ୍ଗପୁରରେ ନିର୍ବାଚନ ଡ୍ୟୁଟି ବେଳେ ତିନି ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟରେ ୭୮.୩ ପ୍ରତିଶତ ମତଦାନ ହୋଇଛି। ଗଞ୍ଜାମରେ ସବୁଠୁ କମ୍ ମତଦାନ ହୋଇଛି।
