ଦ୍ଵିତୀୟ ଦିନିକିଆ : ଅଷ୍ଟ୍ରେଲିଆ ଠାରୁ ୧୦ ଓ୍ବିକେଟ ଓ ୨୩୪ ବଲ୍ ବାକି ଥାଇ ହାରିଲା ଭାରତ
ଦିନିକିଆରେ ଭାରତର ସବୁଠୁ ବଡ଼ ପରାଜୟ
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳ ପ୍ରଥମ ଦିନିଆକୁ ସଂଘର୍ଷ କରି ଜିତିଥିଲା। ହେଲେ ରୋହିତ ଶର୍ମା ଦ୍ୱିତୀୟ ଦିନିକିଆକୁ ଫେରିଥିଲେ ମଧ୍ୟ ଟିମ ଇଣ୍ଡିଆ ୧୦ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ଏକତରଫା ଭାବେ ପରାସ୍ତ ହୋଇଛି। ମୁମ୍ବାଇରେ ହାରିବା ପରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି ।
ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କଙ୍ଗାରୁ ଦଳର ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ। ବଡ ସ୍କୋର କରିନଥିଲେ ବି ଭାରତୀୟ ବୋଲର ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରିଲେ ନାହିଁ। ଆଉ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦ୍ଵିତୀୟ ଦିନିକିଆକୁ ୧୦ ଓ୍ଵିକେଟ୍ରେ ଜିତି ନେଇଛି ଅଷ୍ଟ୍ରେଲିଆ, ସେପୁଣି ୨୩୪ ବଲ୍ ବଳକା ଥାଇ। ଆଉ ଭାରତ ଲଜ୍ଜାଜନକ ପରାଜୟ ଭୋଗିଛି। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ବରାବର ସ୍ଥିତିକୁ ଆଣିଛି ଅଷ୍ଟ୍ରେଲିଆ। ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ନିର୍ଣ୍ଣାୟକ ଶେଷ ଦିନିକିଆ। ବଲ୍ ଦୃଷ୍ଟିରୁ ଭାରତ ବିପକ୍ଷରେ ଦିନିକିଆରେ ଅଷ୍ଟ୍ରେଲିଆର ଏହା ହେଉଛି ସବୁଠୁ ବଡ ବିଜୟ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତ କେବେ ଭାବିନଥିବ ଯେ, ଦଳର ସ୍ଥିତି ଏମିତି ହେବ। ୩ ରନ ସ୍କୋରରେ ଶୁଭମନ ଗିଲ୍ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲି ୨ୟ ଓ୍ଵିକେଟ୍ ପାଇଁ ୨୯ ରନ ଯୋଡିଥିଲେ। ତେବେ ରୋହିତ ଶର୍ମା ୧୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରଠୁ ଭାରତ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଦଳ ଆଉ ନିଜକୁ ସମ୍ଭାଳି ପାରିନଥିଲା। ମଧ୍ୟ କ୍ରମରେ ବିରାଟ କୋହଲିଙ୍କୁ କିଛି ସମୟ ବାଦ୍ ଦେଲେ ବାକି ବ୍ୟାଟର ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂର ମୁକାବିଲା କରି ପାରିନଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଦିନିକିଆରେ ନିଜର ଖରାପ ପ୍ରଦର୍ଶନ ଜାରି ରଖି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ପ୍ରଥମ ଦିନିକିଆ ପରି ଦ୍ଵିତୀୟ ମ୍ୟାଚ୍ରେ ବି ସେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଗୋଲ୍ଡେନ ଡକ୍ର ଶିକାର ହୋଇଛନ୍ତି। ଗତ ମ୍ୟାଚ୍ର ହିରୋ କେଏଲ ରାହୁଲ(୯) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧) କିଛି ଖାସ୍ କରି ପାରିନଥିଲେ। ପ୍ରଥମ ଦିନିକିଆରେ ଭାରତର ବିଜୟରେ ବିନ୍ଧାଣି ସାଜିଥିବା ରବୀନ୍ଦ୍ର ଜାଡେଜା(୧୬) କ୍ରିଜରେ ଜମି ଆସୁଥିଲେ ମଧ୍ୟ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ନିମ୍ନ ଭାଗରେ ୨୯ ରନର ଅପରାଜିତ ଇନିଂସ ଖେଳିବାରୁ ଭାରତ ୧୧୭ ରନ ସ୍କୋରରେ ପହଞ୍ଚି ପାରିଥିଲା। କୁଲଦୀପ ଯାଦବ((୪), ମହମ୍ମଦ ଶାମି(୦) ଏବଂ ମହମ୍ମଦ ସିରାଜ(୦) ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୮ ଓଭରରେ ୫୩ ରନ ଦେଇ ୫ ସଫଳତା ହାସଲ କରିଛନ୍ତି।ସିନ୍ ଆବୋଟ୍ ୬ ଓଭରରେ ୨୩ ରନ ଦେଇ ୩ ଏବଂ ନାଥନ ଏଲିସ୍ ୧୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
୧୧୯ ରନର ସହଜ ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଟି-୨୦ ଷ୍ଟାଇଲ୍ରେ ପିଛା କରିଥିଲା। ଆରମ୍ଭରୁ ହିଁ ଦୁଇ ଓପନର ମିଚେଲ୍ ମାର୍ଶ ଏବଂ ଟ୍ରେଭିସ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ନିର୍ଘାତ ପ୍ରହାର କରି ଓ୍ଵିକେଟ୍ ନେବାର କୌଣସି ସୁଯୋଗ ଦେଇନଥିଲେ। ଅଷ୍ଟ୍ରେଲିଆ ବ୍ୟାଟର ଏମିତି ବ୍ୟାଟିଂ କରୁଥିଲେ ଲାଗୁଥିଲା ଯେମିତି ଟି-୨୦ ମ୍ୟାଚ୍ ଚାଲିଛି। ଆଉ ଭାରତୀୟ ବୋଲର ଦୁଇ ବ୍ୟାଟରଙ୍କ ସାମ୍ନାରେ ଅସହାୟ ନଜର ଆସିଥିଲେ। ଉଭୟ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବା ସହ ଶତକୀୟ ଭାଗିଦାରୀ ଯୋଡି ଦଳକୁ ୧୧ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୧୦ ଓ୍ଵିକେଟ୍ରେ ବିଜୟ ଦେଇଛନ୍ତି। ମିଚେଲ୍ ମାର୍ଶ ୩୬ ବଲ୍ରେ ୬ ଚୌକା ଏବଂ ୬ ଛକା ଜରିଆରେ ୬୬ ରନର ଅପରାଜିତ ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଟ୍ରେଭିସ୍ ହେଡ୍ ୩୦ ବଲ୍ରେ ୧୦ ଚୌକା ସହ ୫୧ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଭାରତର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
